ଜାଲ ବିଛାଇଥିଲେ ଗାଁ ଲୋକେ : ଫଶିଗଲେ ଛେଳି ଚୋର

ତୁଷୁରା, (ଅଜିତ କୁମାର ସାହୁ) : ଛେଚା ଖାଇଲେ ଛେଳି ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ପଂଚାୟତ ଅର୍ନ୍ତଗତ ଜମ୍ଭେଲ ଗାଁରେ । ଗତକାଲି ରାତି ଦୁଇଟାରେ ଏକ ବୋଲେରୋ ଗାଡିରେ ୬ ଜଣ ଯୁବକ ଜମ୍ଭେଲ ଗାଁକୁ ଆସିଥିଲେ । ବୋଲେରୋକୁ ଗାଁ ମୁଣ୍ଡରେ ରଖି ଗାଁର ଜଣକ ଗୁହାଳରେ ବନ୍ଧା ଯାଇଥିବା ଛେଳିକୁ କୌଶଳ କ୍ରମେ ଚୋରୀ କରିବାକୁ ଉଦ୍ୟମ କରୁଥିଲେ । ଆଗରୁ ମଧ୍ୟ ଗାଁରେ ଅନେକ ଛେଳି ଚୋରୀ ହୋଇଥିବାରୁ ଗାଁର କିଛି ଲୋକ ଚୋର ଧରିବା ପାଇଁ ପହରା ଦେଉଥିଲେ । ସେମାନଙ୍କ ନଜରରେ ଚୋରମାନେ ପଡିଯିବାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ । ଫିଲ୍ମ ଷ୍ଟାଇଲରେ ଗାଁ ଲୋକେ ଚୋରଙ୍କୁ ଦଉଡାଇଥିଲେ । ୫ ଜଣ ଚୋର ଗାଁ ଲୋକଙ୍କୁ ଚକମା ଦେଇ ବୋଲେରୋରେ ଫେରାର ହୋଇଥିଲେ । ଜଣେ ଚୋର ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲା । ଗାଁ ଲୋକେ ଉକ୍ତ ଚୋରକୁ ପ୍ରବଳ ମାଡ ମାରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମାଡ ମାରିବା ପରେ ଗାଁ ଲୋକେ ତୁଷୁରା ପୁଲିସକୁ ଖବର ଦେଇଥିଲେ । ପୁଲିସ ଯୁବକକୁ ଉଦ୍ଧାର କରି ଥାନାକୁ ଆଣିଥିଲା । ତେବେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.