ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ସ୍କୁଲସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସଭା ଆରମ୍ଭରେ ପୂଜା ଆରାଧନା ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କୁଇଜ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଶିଶୁମାନଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଥିଲା । ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବରେ ଆଇନଜୀବୀ ଶୁଭ୍ରାଂଶୁ ଶେଖର ପଣ୍ଡା, ଶିକ୍ଷୟତ୍ରୀ ଜ୍ୟୋତିରାଣୀ ମିଶ୍ର ଓ ଅବସରପ୍ରାପ୍ତ ଶିକ୍ଷକ କପିଳ ପତି ରହିଥିବା ବେଳେ ଅହ୍ୱାନ କୁମାର ଦାଶ, ଓମ୍‌ ଅମୃତ ମହାନ୍ତି ଓ କ୍ରିଷ୍ଣାରାଜ ରଥ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନରେ ଦିଲିପ କୁମାର ସିଂଦେଓ ବିଚାରକ ଥିବା ବେଳେ ଦିବ୍ୟାଂଶି ମହାନ୍ତି ପ୍ରଥମ, ସାଇ ଶୁଭେଚ୍ଛା ଦାଶ ଦ୍ୱିତୀୟ ଓ ଯାସ୍ମୀନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଂଗୀତରେ ଧିରେନ୍ଦ୍ର ନାରାୟଣ ସିଂଦେଓ ଏବଂ ହୃଷିକେଶ ପୁରୋହିତ ବିଚାରକ ଥିବା ବେଳେ ଓମ୍‌ ପ୍ରକାଶ ସାହୁ ପ୍ରଥମ, ଶୃତିଶିଖା ପାଢୀ ଦ୍ୱିତୀୟ ଏବଂ ଆରୋଶ୍ମିତା ଦେବୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଆଦର୍ଶ ଶିକ୍ଷକ ଗିରିଜା ଶଙ୍କର ରଥଙ୍କୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ଉପଦେଷ୍ଟା ଜଗଦାନନ୍ଦ ଛୁରିଆ, ସତ୍ୟବନ୍ତ ବେଦବାକ୍‌, ଜୟରାମ ମିଶ୍ର ମଂଚାସୀନ ରହି ଶିଶୁମାନେ ସବୁବେଳେ ସବୁ ସ୍ଥାନରେ ଜ୍ଞାନ ଆହରଣ ଓ ଶିଖିବାର ଆଗ୍ରହ ମନ ଭିତରେ ରଖିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ସଭା ପରିଚାଳନା କରିଥିଲେ ଅନୁଷ୍ଠାନର ସଂପାଦକ ରତ୍ନମୟ ତ୍ରିପାଠୀ, କାର୍ଯ୍ୟକ୍ରମକୁ ସଫଳ କରିବାରେ ଚୁଡେନ୍ଦ୍ର ବେହେରା, ମଧୁସୁଦନ ନେଗୀ, ଅନନ୍ତ ବିଶ୍ୱାଳ, ଦୁର୍ଗା ସାହୁ, ମଧୁ ସାହୁ, ଅରୁଣ ଖୁଆସ, ପ୍ରଦୀପ ପଶାୟତ, ପ୍ରଶାନ୍ତ ଷଡଙ୍ଗୀ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ଉପସଭାପତି ସୁନାଧନ ବନଛୋର । ଏହି କାର୍ଯ୍ୟକ୍ରମରେ ସହରର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିଶୁପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

15 − four =