କେନ୍ଦ୍ର ସାହିତ୍ୟ ଏକାଡେ଼ମୀର କାର୍ଯ୍ୟକ୍ରମ ଉପରେ କୋଶଲୀ ଭାଷା ସୁରକ୍ଷା ସମିତିର ପ୍ରତିକ୍ରିୟା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ସେପ୍ଟେମ୍ବର ୧୯ ତାରିଖ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଅନ୍‌ଲାଇନ୍‌ ସମ୍ବଲପୁରୀ କବି ସମ୍ମିଳନୀ ଆୟୋଜନ କରିଥିବା ବେଳେ ଟିଟିଲାଗଡ଼ କୋଶଲୀ ଭାଷା ସୁରକ୍ଷା ସମିତି ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି । ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଏହା ଏକ ଜିଲ୍ଲା ଭିତ୍ତିକ କାର୍ଯ୍ୟକ୍ରମ ନା ଏକ ଭାଷା ଭିତ୍ତିକ କାର୍ଯ୍ୟକ୍ରମ ? ଯଦି ଏହା ଜିଲ୍ଲା ଭିତ୍ତିରେ କରିବାକୁ ଏକାଡେ଼ମୀ ଏଜେଣ୍ଡା ପ୍ରସ୍ତୁତ କରିଛି, ତେବେ ସେଇ ଜିଲ୍ଲାର କବିମାନଙ୍କୁ ନେଇ ଆୟୋଜନ କରିବା ଉଚିତ । କୋଶଲୀ ଭାଷା ସୁରକ୍ଷା ସମିତି ପକ୍ଷରୁ ଆହୁରି କୁହାଯାଇଛି ଯେ, ପଶ୍ଚିମ ଓଡ଼ିଶାର ଯେଉଁ ଭାଷାକୁ ସ୍ୱୀକୃତି ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି, ସେହି ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ କାର୍ଯ୍ୟକ୍ରମ ଆୟୋଜନ କରିବା କଥା । କୋଶଲୀ ଭାଷାକୁ ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ନିଜର ମାତୃଭାଷା ବୋଲି ମାନୁଥିବା ବେଳେ ସେହି ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ କାର୍ଯ୍ୟକ୍ରମ ନ କରି ଏମିତି ସଂକୀର୍ଣ୍ଣ ମନୋଭାବ ପୋଷଣ କରି ବିବାଦୀୟ ଢାଂଚାରେ ସମ୍ମିଳନୀ କରିଥିବାରୁ ଟିଟିଲାଗଡ଼ ଉପଖଣ୍ଡ କୋଶଲୀ ଭାଷା ପ୍ରେମୀମାନେ ଏହାକୁ ଗ୍ରହଣ କରି ପାରିନାହାନ୍ତି । ସମିତି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଏଥର ଏକ ବିବାଦୀୟ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ‘ଉପାନ୍ତ ସାହିତ୍ୟ’ ବୋଲି ମଧ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ତେବେ ଏପରି ଅବ୍ୟବସ୍ଥା ଭିତରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ କାହାର ଭ୍ରମରେ ପଡ଼ି ନିଜର ଲୋକପ୍ରିୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସଭାପତି ଭିକାରୀ ଚରଣ ମିଶ୍ର, ସଂପାଦକ ନୀଳମଣି ସାହୁ, ଏଡ଼୍‌ଭାଇଜର୍‌ ସେବକ ଦାଶ ଓ ସଦସ୍ୟ ତଥା କୋଶଲୀ ଭାଷାପ୍ରେମୀମାନେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.