ପଞ୍ଜାବକୁ ରୋମାଞ୍ଚକର ଭାବେ ୨ ରନରେ ହରାଇଲା କୋଲକାତା : ୬ ମ୍ୟାଚରୁ ଗୋଟେ ବିଜୟ ସହ ପଞ୍ଜାବର ଟ୍ରଫି ଆଶା କ୍ଷୂର୍ଣ୍ଣ

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ପଞ୍ଜାବକୁ ୨ ରନରେ ହରାଇ ଦେଇଛି ।
ଆଜି ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ତେବେ ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳୀୟ ସ୍କୋର ୧୨ ରନ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ସେହିପରି ଦଳୀୟ ସ୍କୋର ୧୪ ହୋଇଥିବାବେଳେ ନିତିଶ ରାଣା ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଶୁଭମାନ ଗିଲ ଓ ଇଅନ ମୋର୍ଗାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଶୁଭମାନ ଗିଲ ୫୭ ରନ କରିଥିଲେ । ଅଧିନାୟକ ଦିନେଶ କାର୍ତ୍ତିକ ମାତ୍ର ୨୯ ବଲରୁ ୫୮ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଥିଲେ । ଏହାଫଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ କରିଥିଲା ।
୧୬୫ ରନର ପିଛା କରିବାକୁ ଯାଇ ପଞ୍ଜାବ ଦଳ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦଳର ଦୁଇ ଓପନର କେ.ଏଲ. ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଦଳକୁ ଏକ ଚମତ୍କାର ମୂଳଦୂଆ ଦେଇଥିଲା । ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୭୪ ରନ କରିଥିବାବେଳେ ମୟଙ୍କ ୫୬ ରନ କରିଥିଲେ । ଏହା ସତ୍ତ୍ବେ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନଙ୍କ ବିଫଳତା ଯୋଗୁଁ ପଞ୍ଜାବ ଅଳ୍ପକେ ବିଜୟକୁ ହାତଛଡ଼ା କରିଥିଲା ।
ଏହି ବିଜୟ ସହ କୋଲକାତା ୬ଟି ମ୍ୟାଚ ଖେଳି ୪ ବିଜୟ ୨ ପରାଜୟ ସହ ୮ ପଏଣ୍ଟ ପାଇଛି । ମାତ୍ର ପଞ୍ଜାବର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ପଞ୍ଜାବ ୬ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

Leave A Reply

Your email address will not be published.