csstore

ବଡ଼ମାଁ ଥିଲେ ସେବା ଓ ସଂଗ୍ରାମର ପ୍ରତୀକ

ବରଗଡ଼, (ନିରୋଜ କୁମାର ପାଣୀ) : ବଡ଼ମା ପାର୍ବତୀ ଗିରି ଥିଲେ ସେବା, ସଂଗ୍ରାମ ଓ ତ୍ୟାଗର ପ୍ରତିମୂର୍ତ୍ତି । ସ୍ୱାଧୀନତା ସଂଗ୍ରାମରେ ସକ୍ରୀୟ ଅଂଶଗ୍ରହଣ କରି ଜେଲ ବରଣ ଓ ସ୍ଵାଧୀନତା ପରେ ସେବାରେ ସମଗ୍ର ଜୀବନ ବ୍ୟୟ କରି ପ୍ରଗତିଶୀଳ ଚେତନାର ପ୍ରତୀକ ଥିଲେ ବୋଲି ବରଗଡ଼ ମହିଳା ସମିତି ଦ୍ୱାରା ଆୟୋଜିତ ସଭାରେ ବକ୍ତାଗଣ ମତପ୍ରକାଶ କରିଥିଲେ । ସମିତିର ଅଧ୍ୟକ୍ଷା ଅଞ୍ଜନା ଦାସଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ସଭାରେ ଆଲୋଚକ ଭାବରେ ଅଧ୍ୟାପକ ମୋହନ ସାହୁ, ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଓ ଅଧ୍ୟାପିକା ଡ. ସଂଘମିତ୍ରା ପୃଷ୍ଟି ଅଂଶଗ୍ରହଣ କରିଥିଲେ । ପାର୍ବତୀ ଗିରି ପ୍ରଗତିଶୀଳ ଚେତନାର ପ୍ରତୀକ ଥିଲେ ବୋଲି ଦର୍ଶାଇ ତାଙ୍କ ସମ୍ପର୍କରେ ଆହୁରି ଗବେଷଣା କରି ଏକ ସଠିକ୍ ଏବଂ ପ୍ରାମାଣିକ ପୁସ୍ତକର ଆବଶ୍ୟକତା ଅଛି ବୋଲି ଅଧ୍ୟାପକ ମୋହନ ସାହୁ ପ୍ରକାଶ କରିଥିଲେ । ଡ. ପ୍ରଦୀପ ହୋତାଙ୍କ ଲିଖିତ ପୁସ୍ତକ ‘ବଡ଼ମାଁର ଆଲୋଚନା ଅବସରରେ ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଅନେକ ଘଟଣାର ମାର୍ମିକ ଉପସ୍ଥାପନ କରି ଯେଉଁମାନେ ଆମକୁ ମାର୍ଗଦର୍ଶନ ଦେଇଛନ୍ତି ସେମାନଙ୍କୁ ଚିହ୍ନିବା ଓ ଚିହ୍ନାଇବା ଆମର ପରମ କର୍ତ୍ତବ୍ୟ ଓ ଦାୟିତ୍ଵ ବୋଲି କହିଥିଲେ । ଅଧ୍ୟାପିକା ଡ. ସଂଘମିତ୍ରା ପୃଷ୍ଟି ବଡ଼ମାଁ ଏକ ବ୍ୟକ୍ତି ନୁହେଁ, ଥିଲେ ଏକ ଚେତନା ଏବଂ ସେହି ଚେତନାକୁ ଆମେ ଆଗେଇ ନେବାରେ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ଏହି ଅବସରରେ ପୁସ୍ତକର ପ୍ରଚ୍ଛଦ ଶିଳ୍ପୀ ଦୁଃଖିସେବକ ସାହୁ ଏବଂ ବଡ଼ମାଁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବଡ଼ମା’ ପୁସ୍ତକର ଲେଖକ ଡ. ପ୍ରଦୀପ କୁମାର ହୋତା ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ, ସମିତିର ବରିଷ୍ଠ ସଦସ୍ୟା ମମତା ମିଶ୍ର ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ, ସମ୍ପାଦିକା ସୁଧାଂଶୁବାଲା ଦାଶ ବିବରଣୀ ପ୍ରଦାନ, ପଦ୍ମିନୀ ସାହୁ ସଭାକାର୍ଯ୍ୟ ପରିଚାଳନା ଓ ଶେଷରେ ଇନ୍ଦ୍ରାଣୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସହରର ବହୁ ବୁଦ୍ଧିଜୀବୀଙ୍କ ସହିତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.