jayashree

ଜିଲ୍ଲାସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା : ଓଏଭି ପଥରଚେପା ପ୍ରଥମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା ଓଡ଼ିଆ ପ୍ରେନର ସରକାରୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମ ୟୁନିସେଫ, ଷ୍ଟାର ଓ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସହଯୋଗରେ ତଥା ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ ଓଝା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଅଧ୍ୟକ୍ଷ ଡଃ. ଓଝା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧିତ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି ହୁଏ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଏଡ଼ିଇଓ ରୀନା କୁମାରୀ ବେହେରା, ଏଡିଇଓ ସେବାଶ୍ରୀ ଭୋଇ, ବଲାଙ୍ଗିର ବିଇଓ ନୀଳମଣି ପଟେଲ, ବେଲପଡା ବିଇଓ ଅଭିନବ ମିଶ୍ର, ମୁରିବାହାଲ ବିଇଓ ଶାନ୍ତନୁ ପଢିହାରୀ, ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ, ଗୁଡଭେଲା ବିଇଓ ନମିତାରାଣୀ ଭୋଇ, ଡିପିଇଓ ପ୍ରଦୀପ ପାତ୍ର, ରାଜ୍ୟ ଶିକ୍ଷା ପରାମର୍ଶଦାତା, ୟୁନିସେଫ ଜୟା ଜ୍ୟୋତି ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ପ୍ରକଳ୍ପ ଗୁଡିକ ବିପର୍ଯ୍ୟୟ ପରିଚାଳନା, ସାଇବର ସିକ୍ୟୁରିଟି, ସ୍ୱାସ୍ଥ୍ୟର ଯତ୍ନ, ଆବର୍ଜନା ପରିଚାଳନା, କୃଷି ଓ ଗ୍ରାମ୍ୟ ବିକାଶ, ଦୈନନ୍ଦିନ ଜୀବନର ସମାଧାନ ଉପରେ ପର୍ଯ୍ୟବେଷିତ ହୋଇଥିଲା । ବିଚାରକ ଭାବେ ଆଇଆଇଟି ପ୍ରତିନିଧି ଭୁବନେଶ୍ୱର ସୁଶାନ୍ତ ବଡ଼ଜେନା, ପାଟଣାଗଡ ଜବାହାରଲାଲ କଲେଜର ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ରଶ୍ମି ରଞ୍ଜନ ମିଶ୍ର ଦାୟିତ୍ୱ ତୁଳାଇଥିଲେ । ଓଏଭି ପଥରଚେପାର ଛାତ୍ର ସୁଜ୍ଞାନ ଖମାରୀ, ସଂକେତ ସ୍ୱରୂପ ପାଢ଼ୀ ଓ ଆତିଥ୍ୟ ପୁଝାରୀ ପ୍ରଥମ ସ୍ଥାନ ଅଧିକାର କରି ୨୦ହଜାର ଟଙ୍କା ଆର୍ଥିକ ପୁରସ୍କାର ରାଶି ସହ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ସେହିପରି ଓଏଭି ମୁରିବାହାଲର ଛାତ୍ର ଶିବ ମେହେର ଦ୍ଵିତୀୟ ସ୍ଥାନ ଅଧିକାର କରି ୧୫ ହଜାର ଟଙ୍କା ଆର୍ଥିକ ରାଶି ଓ ତୃତୀୟ ସ୍ଥାନ ଓଏଭି, ମହିମୁଣ୍ଡାର ଛାତ୍ରୀ ବ୍ରହ୍ମଶ୍ରୀ ସାହୁ ୧୦ ହଜାର ଟଙ୍କାର ଆର୍ଥିକ ରାଶି ସହ ଟ୍ରଫି ଓ ପ୍ରମାଣପତ୍ର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଯୋଗଦେଇ ହାକାଥନ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ନୂତନ ଚିନ୍ତାଧାରା, ସୃଜନଶୀଳତା ଓ ପ୍ରଯୁକ୍ତି ମାଧ୍ୟମରେ ସମସ୍ୟାର ସମାଧାନ ଖୋଜିବାର ଏକ ସୁନ୍ଦର ମଞ୍ଚ ବୋଲି କହିବା ସହ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଏଭଳି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି କହିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫରୁ ଏହି ହାକାଥନ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ନିୟୁଜ ବୁଲେଟିନ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ବରିଷ୍ଠ ବିଜ୍ଞାନ ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା ଉଭୟ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.