jsm

ଟିଟିଲାଗଡରେ ମଦ ଦୋକାନକୁ ନେଇ ତାତିଲା ପରିସ୍ଥିତି : ମଦ ଦୋକାନ ସାମ୍ନାରେ ଚାଖନା ଧରି ନିଆରା ପ୍ରତିବାଦ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ୱାର୍ଡ ନମ୍ବର–୯ ହାଇସ୍କୁଲ ପଡ଼ାରେ ନବ ସ୍ଥାପିତ ବିଦେଶୀ ମଦ ଦୋକାନକୁ ନେଇ ଦିନକୁ ଦିନ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ଶିକ୍ଷିତ, ସାମାଜିକ ଓ ଧର୍ମପରାୟଣ ଲୋକଙ୍କ ବସବାସ ଥିବା ଏହି ଅଞ୍ଚଳରେ ମଦ ଦୋକାନ ଖୋଲାଯିବାକୁ ନେଇ ସ୍ଥାନୀୟ ବାସିନ୍ଦା ଆରମ୍ଭରୁ ବିରୋଧ କରିଆସୁଛନ୍ତି । ସୂଚନା ଅନୁଯାୟୀ, ସମ୍ପ୍ରତି ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇଥିବା ଜଣେ ମଦ ବ୍ୟବସାୟୀ ୱାର୍ଡ ନମ୍ବର–୯ର ସାହାରା କାର୍ଯ୍ୟାଳୟ ନିକଟରେ ଏକ ବିଦେଶୀ ମଦ ଦୋକାନ ଆରମ୍ଭ କରିଛନ୍ତି । ଏହି ସ୍ଥାନଟି ହାଇସ୍କୁଲ ପଡ଼ାର ମୁଖ୍ୟ ରାସ୍ତା ଉପରେ ଅବସ୍ଥିତ ଥିବା ବେଳେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମହିଳା, ଛାତ୍ରଛାତ୍ରୀ, ବୃଦ୍ଧ ଓ ବିଭିନ୍ନ ବର୍ଗର ଲୋକଙ୍କ ଯାତାୟାତ ହୋଇଥାଏ । ଫଳରେ ଏହି ଅଞ୍ଚଳରେ ମଦ ଦୋକାନ ଖୋଲିବା ଯୋଗୁଁ ମହିଳାମାନେ ଅସୁରକ୍ଷିତ ଅନୁଭବ କରୁଥିବା ବେଳେ ସାମାଜିକ ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ସୋମବାର ସକାଳେ ଓକିଲ ସଂଘର ପୂର୍ବତନ ସଭାପତି ସଞ୍ଚୟ ବେହେରାଙ୍କ ନେତୃତ୍ୱରେ ପଡ଼ାର ମହିଳା ଓ ପୁରୁଷମାନେ ଜାତୀୟ ରାଜପଥ–୨୬ ଅବରୋଧ କରିଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ହେଉଛି, ମଦ ଦୋକାନ ନିକଟରେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ହନୁମାନ ମନ୍ଦିର ଓ ଏକ ନର୍ସିଂ କଲେଜ ରହିଥିବା ସତ୍ତ୍ୱେ କିପରି ଏହି ସ୍ଥାନରେ ଦୋକାନ ଖୋଲିବାକୁ ଅନୁମତି ମିଳିଲା, ତାହାର ତଦନ୍ତ କରାଯିବା ଆବଶ୍ୟକ । ଖବର ପାଇ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ତହସିଲଦାର ଶଙ୍କର ବାଗ, ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ସହକାରୀ ଜିଲ୍ଲାପାଳ ତୁଷାରକାନ୍ତ ମହଲା, ଅବକାରୀ ବିଭାଗର ଅଧିକାରୀ ଓ ସ୍ଥାନୀୟ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଶାସନ ପକ୍ଷରୁ ଘଟଣାର ଆଇନଗତ ତଦନ୍ତ କରାଯିବ ଏବଂ ଯଦି କୌଣସି ଭୁଲ ତଥ୍ୟ ଦେଇ ଅନୁମତି ନିଆଯାଇଥାଏ, ତେବେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ରାସ୍ତା ଅବରୋଧ ହଟାଯାଇଥିଲା । କିନ୍ତୁ ପଡ଼ାବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନର ଆଶ୍ୱାସନର ମାତ୍ର କିଛି ଘଣ୍ଟା ପରେ ପୁଣି ମଦ ଦୋକାନ ଖୋଲିଯାଇଥିଲା । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିଯାଇଛି । ଜନବସତି ପୂର୍ଣ୍ଣ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଅବକାରୀ ବିଭାଗ କାହିଁକି କୌଣସି ଠୋସ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ ଉଠୁଛି ? ଏହାର ପ୍ରତିବାଦରେ ଆଜି ପୁଣିଥରେ ପଡ଼ାର ମହିଳାମାନେ ଟେଣ୍ଟ ବାନ୍ଧି ଧାରଣାରେ ବସିଥିବା ବେଳେ ପୁରୁଷମାନେ ମଧ୍ୟ ଏକ ନିଆରା ଢଙ୍ଗରେ ପ୍ରତିବାଦ କରୁଛନ୍ତି । ମଦ ଦୋକାନ ସମ୍ମୁଖରେ ଚାଖନା ଧରି ମଦ କିଣିବାକୁ ଆସୁଥିବା ଗ୍ରାହକଙ୍କୁ ସ୍ୱାଗତ କରି ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣା ବର୍ତ୍ତମାନ ଟିଟିଲାଗଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

yuvodaya
Leave A Reply

Your email address will not be published.