ଛତ୍ରପୁର ସହରଞ୍ଚାଳର ପରିମଳ ଓ ପବ୍ଲିକ୍ ଗ୍ରିଭେନ୍ସ ଉପରେ ପ୍ରାଥମିକତା ଦିଆଯିବ- ଇ.ଓ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ପ୍ରସନ୍ନ କୁମାର ଦାଶ ସୋମବାର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ଓଡ଼ିଶା ମ୍ୟୁନିସିପାଲଟି ଆଡମିନିଷ୍ଟ୍ରେସନ୍ ସେବାରେ ଗତ ୨୦୧୨-୧୩ ବର୍ଷରେ କୃତ୍ତିତ୍ଵ ହାସଲ କରିଛନ୍ତି । ଏଥି ପୂର୍ବେ ସେ ବାଲେଶ୍ଵର ଜିଲ୍ଲାର ନୀଳଗିରି ଏନ୍.ଏ.ସି.ରେ ନିର୍ବାହୀ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନା କରି ସେଠାକାର ଅଞ୍ଚଳରେ ଭୂୟସୀ ପ୍ରଶଂସାର ପାତ୍ର ହୋଇ ଆସିଛନ୍ତି ବୋଲି ସାଧାରଣରେ କୁହାଯାଏ । ସୋମବାର ଦାୟିତ୍ୱ ଗ୍ରହଣ କରିବା ପୂର୍ବକ ଛତ୍ରପୁର ସହରାଞ୍ଚଳର ବିକାଶ ଦିଗରେ ଯଥେଷ୍ଟ ଧ୍ୟାନ ଦେବାକୁ ଆଗଭର ହୋଇଛନ୍ତି । ମୁଖ୍ୟତଃ ବିପର୍ଯ୍ୟସ୍ତ ହୋଇପଡିଥିବା ପରିମଳ ବ୍ୟବସ୍ଥାକୁ ସୂଚାରୁ ରୂପେ ପାଳନ କରିବା ପୂର୍ବକ ବିହିତ ପଦକ୍ଷେପ ଗ୍ରହଣ କରାଯିବା ସହ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ସହରାଞ୍ଚଳର ଜନସାଧାରଣଙ୍କର ଦୀର୍ଘ ଦିନ ଧରି ରହିଥିବା ଦାବୀ ଉପସ୍ଥାପନାର ଖୋଲମ୍‌ ଖୁଲା ଭାବେ କହିବା ସୁଯୋଗ ପ୍ରଦାନ କରିବା, ଲୋକଙ୍କ ଆପତ୍ତି, ଅଭିଯୋଗକୁ ବିଚାର ଶୁଣାଣି କରି ତାହାକୁ ସମାଧାନ କରିବା ଦିଗରେ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ କହିଛନ୍ତି । ଛତ୍ରପୁର ସହରର ପରିମଳ ବ୍ୟବସ୍ଥା, ମଝିରେ ମଝିରେ ସ୍ଵାସ୍ଥ୍ୟ ସେବା ଶିବିରର ଆୟୋଜନ କରିବା, ସାପ୍ତାହିକ ଗୁରୁବାର ହାଟ ବଜାରର ଶୃଙ୍ଖଳିତ ବ୍ୟବସ୍ଥାପନା କରିବା, ହାଟ ଗହଳିକୁ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥାରେ ପରିଚାଳିତ କରାଯିବା ଏବଂ ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ କାର୍ଯ୍ୟକାରୀ କରିବା ଦିଗରେ ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ଫଟୋ ସାମ୍ବାଦିକ ଅଶୋକ ରଥ ଗୁରୁତ୍ୱାରୋପ କରିଛନ୍ତି । ସେ ଦିଗରେ ସରକାରଙ୍କ ଅଧିନିୟମକୁ ଆଧାର କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.