
ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଓ ପଟ୍ଟା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଗସ୍ତକୁ ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀଙ୍କ ଭୂୟସୀ ପ୍ରଂଶସା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଆର୍ଏଣ୍ଡଆର୍ ପ୍ୟାକେଜ୍ ଓ ପଟ୍ଟା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଗସ୍ତକୁ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାଗତ; ସେନା ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ନିମନ୍ତେ ଚିଠି ଲେଖିଥିଲେ । ତେବେ ଆସନ୍ତା ଅଗଷ୍ଟ ୨୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଐତିହାସିକ ଗଞ୍ଜାମ ଗସ୍ତ ନେଇ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗୋଳାବନ୍ଧ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘ ଦିନ ଧରି ନ୍ୟାୟ ଅପେକ୍ଷାରେ ଥିବା ନୂଆ ଗୋଳାବନ୍ଧ ତଥା ଛେଳିଗଡ଼ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରମାନଙ୍କୁ ଥଇଥାନ (ଆର୍ଏଣ୍ଡ ଆର୍) ପ୍ୟାକେଜ୍ ଓ ଜମିପଟ୍ଟା ପ୍ରଦାନ ନିଷ୍ପତ୍ତିକୁ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଐତିହାସିକ ପଦକ୍ଷେପ ପାଇଁ ସେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ, ଗୋଳାବନ୍ଧ ସେନା ଛାଉଣୀ (ଏଡ୍ ସେଣ୍ଟର) ସଂଲଗ୍ନ ବିଭିନ୍ନ ପଞ୍ଚାୟତର ବହୁବର୍ଷର ଜମି ଓ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଂସଦ ଡ. ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଲେଖି ଅନୁରୋଧ କରିଛନ୍ତି । ପ୍ରେସ୍ ବିବୃତିର ମୁଖ୍ୟାଂଶ : ଐତିହାସିକ ପଦକ୍ଷେପ : ଦଶନ୍ଧି ଦଶନ୍ଧି ଧରି ଅଧିକାରରୁ ବଞ୍ଚିତ ହୋଇ ରହିଥିବା ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ହକ୍ ଓ ସ୍ୱତ୍ୱାଧିକାର ପ୍ରଦାନ କରିବା ସରକାରଙ୍କ ଜନକଲ୍ୟାଣକାରୀ ଆଭିମୁଖ୍ୟର ଏକ ଉଜ୍ଜ୍ୱଳ ଉଦାହରଣ ପ୍ରଭାବିତ ପଞ୍ଚାୟତଗୁଡ଼ିକର ସମସ୍ୟା : ଗୋଳାବନ୍ଧ, କମଳାପୁର, ବକ୍ସିପାଲ୍ଲୀ ଓ ହାତୀପଦା ଗ୍ରାମ ପଞ୍ଚାୟତ ତଥା ନିକଟବର୍ତ୍ତୀ ବ୍ରହ୍ମପୁର ସହରାଞ୍ଚଳବାସୀ ଦୀର୍ଘ ବର୍ଷ ଧରି ସେନା ପ୍ରତିଷ୍ଠାନ ସହିତ ଜମି ସୀମା ନିର୍ଦ୍ଧାରଣ ଓ ଯାତାୟାତ ସମସ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟିସିପି ନଂ-୧ରୁ ଟିସିପି ନଂ-୩ ରାସ୍ତା, ଚନ୍ଦନ ବିହାର/ଭିଆଇପି ନଗର ଦେଇ ମୁଖ୍ୟ ରାସ୍ତା ଏବଂ ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ପାରମ୍ପରିକ ରାସ୍ତାରେ ସର୍ବସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ସ୍କୁଲ୍ ପିଲା, ରୋଗୀ ଓ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ନୂଆ କମଳାପୁର, ବଡ଼ ହାତୀପଦା, ସାନ ହାତୀପଦା ଏବଂ ଗୋଳାବନ୍ଧର ୨୦୦୦ରୁ ଊର୍ଦ୍ଧ୍ୱ ପରିବାର ପିଢ଼ି ପିଢ଼ି ଧରି ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ପଟ୍ଟା ମିଳିପାରି ନାହିଁ । ଏହା ସହ ଶ୍ମଶାନ, ଖେଳପଡ଼ିଆ ଓ ଐତିହାସିକ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ରାସ୍ତାର ସମସ୍ୟା ଲାଗିରହିଛି । ଉଚ୍ଚସ୍ତରୀୟ ସମନ୍ୱୟ କମିଟି ଗଠନ ପାଇଁ ପ୍ରସ୍ତାବ : ଏହି ସମସ୍ତ ସମସ୍ୟାର ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (ଆର୍ଡିସି)ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସାଂସଦ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବିତ କମିଟିର ସଦସ୍ୟ : ଅଧ୍ୟକ୍ଷ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (ଆର୍ଡିସି), ବ୍ରହ୍ମପୁର,ସହ-ଅଧ୍ୟକ୍ଷ : ଷ୍ଟେସନ୍ କମାଣ୍ଡର / ନିର୍ଦ୍ଦେଶିତ ସେନା ଅଧିକାରୀ (ଏଡ୍ ସେଣ୍ଟର, ଗୋଳାବନ୍ଧ) ଆବାହକ : ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମ ସଦସ୍ୟ : ସାଂସଦ (ବ୍ରହ୍ମପୁର), ବିଧାୟକ (ଗୋପାଳପୁର ଓ ବ୍ରହ୍ମପୁର), ପ୍ରତିରକ୍ଷା ଜମି ଅଧିକାରୀ (ଡିଇଓ), ଉପ-ଜିଲ୍ଲାପାଳ (ବ୍ରହ୍ମପୁର), ସମ୍ପୃକ୍ତ ତହସିଲଦାର ଏବଂ ଗୋଳାବନ୍ଧ, କମଳାପୁର, ବକ୍ସିପାଲ୍ଲୀ ଓ ହାତୀପଦା ପଞ୍ଚାୟତର ସରପଞ୍ଚ ତଥା ଜନପ୍ରତିନିଧି । ଏହି କମିଟି ଯୁଗ୍ମ ଜମି ସର୍ଭେକ୍ଷଣ କରିବା ସହ ରାଜ୍ୟ ସରକାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଆବଶ୍ୟକ ଜମି ବିନିମୟ (ଲେଣ୍ଡଏକ୍ସଚେଞ୍ଜ) ଓ ଯାତାୟାତ ଅଧିକାର ପାଇଁ ଏକ ସ୍ପଷ୍ଟ ନୀତି ପ୍ରସ୍ତୁତ କରିବ, ଯାହାଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚ୍ଚ ସ୍ତରରେ ତୁରନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି ଦୀର୍ଘଦିନର ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ସାଧାରଣ ଲୋକଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ ବୋଲି ସାଂସଦ ଡ. ପାଣିଗ୍ରାହୀ ଦୃଢ଼ ଆଶା ପ୍ରକଟ କରିଛନ୍ତି ।