ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଂଚଳିକ ବୈଷମ୍ୟର ପ୍ରତିବାଦରେ କୋସଲ ଯୁବ ସମନ୍ୱୟ ସମିତିର କୋସଲ ସ୍ୱାଭିମାନ ଯାତ୍ରା : ଭବାନୀପାଟଣାରୁ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଲାଂଚଳକୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ଆଜି ଠାରୁ କୋସଲ ଯୁବ ସମନ୍ୱୟ ସମିତି ତରଫରୁ ଭବାନୀପାଟଣାର ମାଁ ମାଣିକେଶ୍ୱରୀ ମନ୍ଦିର ତରଫରୁ ଆରମ୍ଭ ହୋଇଛି । ଆଗାମୀ ସପ୍ତାହବ୍ୟାପି ଏହି ପଦଯାତ୍ରା କୋଶଲାଂଚଳର ବିଭିନ୍ନ ଜିଲ୍ଲା ଦେଇ ଆଗାମୀ ୨୮ ତାରିଖରେ ବରଗଡ ଠାରେ ସମାହିତ ହେବାକୁ ସ୍ଥିର କରାଯାଇଛି । ବାସ୍ତବରେ ପାଂଚଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପଦଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଏହା କଳାହାଣ୍ଡିରୁ ବରଗଡ ହେବ । ଆଜି ପଦଯାତ୍ରାର ଶୁଭାରମ୍ଭ ସମୟରେ ବରିଷ୍ଠ କୋସଲବାଦୀ ସଂଗଠକ ପ୍ରଫେସର ଯତୀନ୍ଦ୍ର ମୁଣ୍ଡ, ଶିଶିଳ ପତ୍ରୀ, କଂଗ୍ରେସ ନେତା ମହମ୍ମଦ ସାହେବ, ଶୁଶାନ୍ତ ପ୍ରଧାନ, ପିଣ୍ଟୁ ଅଗ୍ରୱାଲ, ବିନୟ ଦୀପ, କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ସଭାପତି ଡୋଳାମଣି ପ୍ରଧାନ, ବରିଷ୍ଠ ସଂଗଠକ ପ୍ରସନ୍ନ ନେଗୀ, ପ୍ରାଣଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାକାରୀମାନଙ୍କୁ ଉତ୍ସାହିତ କରିଥିଲେ । କୋସଲ ଯୁବ ସମନ୍ୱୟ ସମିତିର ସାଧାରଣ ସଂପାଦକ ଅଚ୍ୟୁତ ସିପୁନ ଖମାରୀ, ସଂପାଦକ ଗିରିରାଜ ଭୋଇ, କୋଷାଧ୍ୟକ୍ଷ ବନମାଳୀ ନାଏକ, ସଂଗଠକ ରଂଜନ ଖୁଆସ, ଯୁଗଳ କିଶୋର ମେହେର, ଧର୍ମରାଜ ବରିହା, ବିଶ୍ୱଜିତ ପ୍ରଧାନ, ଶୁଭମ୍‌ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ କୋସଲବାଦୀ ଯୁବ ସଂଗଠକ ଏହି ପଦଯାତ୍ରାରେ ଯୋଗ ଦେଇଛନ୍ତି । ପଦଯାତ୍ରାକାରୀମାନଙ୍କୁ ବାଟରେ ବିଭିନ୍ନ ସଂଗଠନ ତରଫରୁ ବହୁ ସଂଖ୍ୟକ ଲୋକେ ବ୍ୟାପକ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରିଛନ୍ତି । ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଏହି ପଦଯାତ୍ରାକାରୀମାନେ ଆଜି ରାତ୍ରୀରେ କେସିଙ୍ଗା ପହଂଚି ରାତ୍ରି ଯାପନ କରିବେ । କେସିଙ୍ଗା ଠାରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ତଥା ରାଜନୈତିକ ସଂଗଠନ ତରଫରୁ ପଦଯାତ୍ରାକାରୀମାନଙ୍କୁ ସ୍ୱାଗତ ସଂବର୍ଦ୍ଧନା କରିବାର ଯୋଜନା କରାଯାଇଛି । ଆଗାମୀ କାଲି ସକାଳୁ ପଦଯାତ୍ରାକାରୀମାନେ ସଇଁନ୍ତଲା ଅଭିମୁଖେ ଯାତ୍ରା କରିବାର ଯୋଜନା ଥିବା ବେଳେ ଆଗାମୀ ୨୫ ତାରିଖ ରାତ୍ରିରେ ସେମାନେ ବଲାଙ୍ଗିର ଠାରେ ପହଂଚିବେ ବୋଲି କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ କାର୍ଯ୍ୟକାରୀ ସଭାପତି ରିଲୁ ରଥ ଓ ଉପସଭାପତି ବିନୋଦ କାଲସାଏ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.

twenty + 14 =