
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ଯାତାୟାତକୁ ସହଜ ଓ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ଆଜି ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅମଲିକୋ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୩୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଦେବାଶିଷ ସିଂହ ହିତାଧିକାରୀମାନଙ୍କୁ ଏହି ଟ୍ରାଇସାଇକେଲ ବଣ୍ଟନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ସମସ୍ତ ହିତାଧିକାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ପରେ ଟ୍ରାଇସାଇକେଲ ଯୋଗାଇ ଦିଆଯାଇଛି । ଏହାଦ୍ୱାରା ସେମାନେ ନିଜର ଦୈନନ୍ଦିନ କାର୍ଯ୍ୟ ସହଜରେ ସମ୍ପାଦନ କରିବା ସହ ଯାତାୟାତରେ ସୁବିଧା ପାଇପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ସହିତ ହେଲମେଟ, ବ୍ୟାଟେରୀ ଚାର୍ଜର ଏବଂ କ୍ରଚେସ୍ (ଆଶାବାଡ଼ି) ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେ.କେ. ହରିପ୍ରସାଦ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ନିର୍ବାହୀ ଅଧିକାରୀ, ତଥା ଜିଲ୍ଲା ପରିଷଦର ଅଶ୍ୱିନୀ ମେହେର ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ଅବସରରେ ଲଛିପୁର ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ପ୍ରକାଶ କରି କହିଥିଲେ ଯେ, ପରୀକ୍ଷା ସମୟରେ ଯାତାୟାତ କରିବାରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଟ୍ରାଇସାଇକେଲ ପାଇବା ଦ୍ୱାରା ସେମାନଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ଅନ୍ୟ କାହା ଉପରେ ନିର୍ଭର ନକରି ନିଜେ ଚଳପ୍ରଚଳ କରିପାରିବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ ।