
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ରାଜନୈତିକ ମାହୋଲ ଏବେ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଆଜି ଓଡ଼ିଶା ବନ୍ଦକୁ ସଫଳ କରିବା ଲକ୍ଷ୍ୟରେ ବୁଧବାର ସନ୍ଧ୍ୟାରେ ବାରିପଦା ସହରରେ ମୟୂରଭଞ୍ଜ ପୂର୍ବ କଂଗ୍ରେସ ପକ୍ଷରୁ ଏକ ବିଶାଳ ଜନସଚେତନତା ରାଲି ଆୟୋଜିତ ହୋଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବାଲେଶ୍ୱର ଗୁଲେଇ ନିକଟରୁ ଏହି ରାଲି ବାହାରିଥିଲା । ହାତରେ ଦଳୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ରାଲିରେ ସାମିଲ ହୋଇଥିଲେ । ବାଲେଶ୍ୱର ଗୁଲେଇରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ମୁଖ୍ୟ ମାର୍କେଟ, ବାଣ୍ଠିଆ ମନ୍ଦିର, ବିଜୁ ପଟ୍ଟନାୟକ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ରାଲି ଯାଉଥିବା ସମୟରେ କଂଗ୍ରେସ କର୍ମୀମାନେ ସରକାର ବିରୋଧୀ ନାରା ଦେବା ସହ ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଥିଲେ । ସହରର ବିଭିନ୍ନ ଛକ ଓ ବଜାର ଦେଇ ରାଲି ଗତି କରିବା ବେଳେ ଏହାକୁ ଦେଖିବା ପାଇଁ ରାସ୍ତାକଡ଼ରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ବିଶେଷ କଥା ହେଉଛି, ଦୀର୍ଘ ଦିନ ପରେ ବାରିପଦା ସହରରେ କଂଗ୍ରେସର ଏଭଳି ବଡ଼ ଧରଣର ରାଲି ଦେଖିବାକୁ ମିଳିଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି । ରାଲିରେ ଦଳର ଜିଲ୍ଲାସ୍ତରୀୟ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଯୋଗଦେଇଥିଲେ । କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି କଂଗ୍ରେସ ସଂଗଠନ ମୟୂରଭଞ୍ଜରେ ପୁଣି ନିଜର ସାଂଗଠନିକ ଭିତ୍ତି ମଜବୁତ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି । ରାଲିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରକାର ଆଲୋଚନା ଶୁଣିବାକୁ ମିଳିଛି । କେହି ଏହାକୁ କଂଗ୍ରେସର ଶକ୍ତି ପ୍ରଦର୍ଶନ ବୋଲି କହୁଥିବା ବେଳେ, ଆଉ କେହି ଏହାକୁ ଆଗାମୀ ଦିନର ରାଜନୈତିକ ଲଢ଼େଇର ଏକ ସଙ୍କେତ ବୋଲି ମତ ଦେଉଛନ୍ତି । ବିଶେଷକରି ବିଜେପି, ବିଜେଡି, ଝାଡ଼ଖଣ୍ଡ ଦଳ ଓ ଅନ୍ୟାନ୍ୟ ରାଜନୈତିକ ଶକ୍ତିଙ୍କ ସହ କଂଗ୍ରେସର ଆଗାମୀ ଦିନରେ ଅଧିକ ଜୋରଦାର ରାଜନୈତିକ ମୁକାବିଲା ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । ତେବେ ଏହି ରାଲିର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଓଡ଼ିଶା ବନ୍ଦ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ବନ୍ଦକୁ ସଫଳ କରିବା ପାଇଁ ସମର୍ଥନ ହାସଲ କରିବା । ରାଲି ମାଧ୍ୟମରେ କଂଗ୍ରେସ କର୍ମୀମାନେ ସରକାରଙ୍କ ବିଭିନ୍ନ ନୀତିକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଲୋକଙ୍କ ମଧ୍ୟରେ ନିଜର ଦାବି ଓ ଆଭିମୁଖ୍ୟ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏବେ ପ୍ରଶ୍ନ ଉଠୁଛି—ଏହି ବିଶାଳ ରାଲି କେବଳ ଓଡ଼ିଶା ବନ୍ଦ ପୂର୍ବରୁ କଂଗ୍ରେସର ଏକ ଜନସଚେତନତା କାର୍ଯ୍ୟକ୍ରମ, ନା ମୟୂରଭଞ୍ଜରେ ଦଳର ବଢ଼ୁଥିବା ସାଂଗଠନିକ ଶକ୍ତିର ଏକ ବଡ଼ ସଙ୍କେତ ? ଏହାର ଉତ୍ତର ଆଗାମୀ ଦିନର ରାଜନୈତିକ ଘଟଣାକ୍ରମ ହିଁ ଦେବ । ଆଜିର ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ପୂର୍ବର ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ପିସିସିର ପ୍ରଭାରୀ ମନୋଜ ରାଉତଙ୍କ ଉପସ୍ଥିତିରେ ହଜାର ସଂଖ୍ୟାରେ ଇଣ୍ଡିଆ ବ୍ଲକର କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।