
ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ତ୍ତମାନ ସହରରେ ନିୟମିତ ଭାବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଅନେକ ବସ୍ତି ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଜମି ରହିଯିବାରୁ ଉକ୍ତ ଅଞ୍ଚଳବାସୀ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି । ଆଜି ପ୍ରବଳ ବର୍ଷା ଯୋଗୁଁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୭ ଥାନା ଅଞ୍ଚଳର ପାହାଡ଼ପୁର ବସ୍ତିରେ ରହୁଥିବା ମହାବୀର ପ୍ରଧାନ, ସାଉନା ବଡାଇକ, ଗୋପୀ ବଡାଇକ, ସୁନୀଲ ତିର୍କୀ ପ୍ରମୁଖଙ୍କ ଘର ଭାଙ୍ଗି ଯାଇଥିଲା । ସେହିପରି ରାଉରକେଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ତଥା ଜଗଦା ନିକଟରେ ଥିବା ବିଶ୍ୱକର୍ମା ବସ୍ତିରେ ରହୁଥିବା ବିଷ୍ଣୁ କଇଥ୍ବରଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା । ସରକାରୀ ଗସ୍ତରେ ରାଜ୍ୟ ବାହାରକୁ ଯାଇଥିବା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏ ସମ୍ବନ୍ଧରେ ଖବରପାଇ ନିଜ ସହକର୍ମୀ ଗଦାଧର ସାହୁ, ଅଜୟ କଂସାରୀ, ପ୍ରଫୁଲ୍ଲ ମିଶ୍ର, ସନ୍ତୋଷ ବିରାଟ ପ୍ରମୁଖଙ୍କୁ ତୁରନ୍ତ ପ୍ରଭାବିତ ଅଞ୍ଚଳ ଗସ୍ତକରି କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ । ବିଧାୟକଙ୍କ ନିର୍ଦେଶ ଅନୁସାରେ ସମସ୍ତ କର୍ମୀମାନେ ସଙ୍ଗେ ସଙ୍ଗେ ରନ୍ଧା ଖାଦ୍ୟ ସାଙ୍ଗରେ ଧରି ବର୍ଷାରେ କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ରାନ୍ଧା ଖାଦ୍ୟ ପୁଡ଼ିଆ ଦେବା ସହିତ ଭାଙ୍ଗିଯାଇଥିବା ଘର ଉପରେ ପକାଇବା ପାଇଁ ସମସ୍ତଙ୍କୁ ନୂତନ ପାଲ ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ହାଇଦ୍ରାବାଦରେ ଥିବା ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ସହକର୍ମୀମାନେ ଆଗ୍ରହ କରିଥିଲେ । ସହକର୍ମୀ ମାନଙ୍କଠାରୁ ରିପୋର୍ଟ ପାଇବା ପରେ ବିଧାୟକ ଶ୍ରୀ ତନ୍ତୀ ହାଇଦ୍ରାବାଦରେ ଥାଇ ରାଉରକେଲା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଭାବିତ ପରିବାରକୁ ପାଲ ଯୋଗାଇ ଦେବା ପାଇଁ ପରାମର୍ଶ ଦେବା ସହିତ ଏହି କାର୍ଯ୍ୟକୁ ଆଜି ହିଁ ସମ୍ପାଦନା କରିବା ପାଇଁ ନିଜ ସହକର୍ମୀ ଗଦାଧର ସାହୁ ଏବଂ ଅଜୟ କଂସାରୀଙ୍କୁ ନିର୍ଦେଶ ଦେଇଥିଲେ । ବିଧାୟକଙ୍କ ନିର୍ଦେଶ ଅନୁସାରେ ସହକର୍ମୀ ଗଦାଧର ସାହୁ ଏବଂ ଅଜୟ କଂସାରୀ କ୍ଷତିଗ୍ରସ୍ତ ପରିବାର ସାଙ୍ଗରେ ତହସିଲ ଅଫିସ ଯାଇ ସେମାନଙ୍କୁ ସରକାରୀ ବ୍ୟବସ୍ଥା ମାଧ୍ୟମରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଉଦ୍ଧିଷ୍ଟ ପାଲ ମଧ୍ୟ ଯୋଗାଇ ଦେଇଥିଲେ ।