ଗଞ୍ଜାମ ପୋଲିସ ପ୍ରଶାସନକୁ ନାଲକୋ ପକ୍ଷରୁ ଦଶହରା ଉପହାର ସ୍ୱରୂପ ଏକ ପିସିଆର ଭ୍ୟାନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ପବିତ୍ର ମହାଳୟା ଅବସରରେ ଶକ୍ତି ପ୍ରଦାୟିନୀ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ପୋଲିସ ପ୍ରଶାସନକୁ ଅଧିକ ଶକ୍ତିଶାଳୀ କରିବା, ମାନବ ସମାଜ କଲ୍ୟାଣ ଦିଗରେ ସାମାଜିକ ସୁରକ୍ଷାକୁ ଗୁରୁତ୍ୱାରୋପ କରି ଗଞ୍ଜାମ ଆରକ୍ଷୀ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ନାଲକୋ ପ୍ରତିଷ୍ଠିତ କମ୍ପାନୀ ପକ୍ଷରୁ ଦଶହରା ଭେଟି ସ୍ୱରୂପ ଏକ ପିସିଆର ଭ୍ୟାନ ପ୍ରଦାନ କରାଯାଇଛି । ଏହି ଅବସରରେ ରବିବାର ଦିବା ୧୧ ଘଣ୍ଟା ସମୟରେ ଆନୁଷ୍ଠାନିକ ଭାବେ ଛତ୍ରପୁରସ୍ଥ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ନାଲକୋ ପକ୍ଷରୁ ଏହି ଉପହାର ପିସିଆର ଭ୍ୟାନ ପ୍ରଦାନ ହୋଇଛି । ନାଲକୋ ପ୍ରତିଷ୍ଠିତ କମ୍ପାନୀର ସିଏମଡ଼ି ଶ୍ରୀଧର ପାତ୍ର, ତାଙ୍କ ସହଧର୍ମିଣୀ ଶ୍ରୀମତୀ ସସ୍ମିତା ପାତ୍ର, ନାଲକୋ ମହାପ୍ରବନ୍ଧକ ତଥା ନିଗମ ସଞ୍ଚାର ଓ ଲୋକ ସମ୍ପର୍କ ବିଭାଗ, ପ୍ରଶାସନିକ ମୁଖ୍ୟ ଆଶୁତୋଷ ରଥଙ୍କ ଉପସ୍ଥିତରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏଙ୍କୁ ପିସିଆର ଭ୍ୟାନର ଚାବି ଆନୁଷ୍ଠାନିକ ଭାବେ ପ୍ରଦାନ ସ୍ୱରୂପ ହସ୍ତାନ୍ତର କରିଛନ୍ତି । ପରେ ପୋଲିସର ସାଇରନ ଶବ୍ଦ ବାଜିଲା ଏବଂ ନାଲକୋ ସିଏମଡ଼ି ଶ୍ରୀଧର ପାତ୍ର ସବୁଜ ପତାକା ଦେଖାଇ ଏହି ଭ୍ୟାନର ଶୁଭାରମ୍ଭ କରିଥିଲେ । ଏହି ଭ୍ୟାନ ଦ୍ୱାରା ପୋଲିସ ପେଟ୍ରୋଲିଙ୍ଗକୁ ସକ୍ରିୟ କରାଯିବା ସହ ବିଭିନ୍ନ ଆଇନ ଶୃଙ୍ଖଳା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି କୁହାଯାଇଛି । ଏହି ଅବସରରେ ଡିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ପୋଲିସ ଅଧିକାରୀ ଗଣ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ନାଲକୋ କଟକ ଓ ଭୁବନେଶ୍ୱର ପୋଲିସ କମିଶନରକୁ ଏକାଧିକ ଭ୍ୟାନ୍ ଏବଂ ପୁରୀ ଜିଲ୍ଲା ପୋଲିସ ପ୍ରଶାସନକୁ ପ୍ରାୟତଃ ତିନୋଟି ଭ୍ୟାନ୍ ପ୍ରଦାନ କରାଯାଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ପୋଲିସକୁ ପ୍ରଥମ କରି ଗୋଟିଏ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି ବୋଲି ନାଲକୋ ମହାପ୍ରବନ୍ଧକ ଆଶୁତୋଷ ରଥ ଗଣମାଧ୍ୟମକୁ ସୂଚାଇଛନ୍ତି ।

Leave A Reply

Your email address will not be published.

5 × four =

error: Content is protected !!