
କଳାହାଣ୍ଡିରେ ‘ଇଣ୍ଡିଆ ବ୍ଲକ୍’ର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ : ଯାନବାହାନ ଚଳାଚଳ ପ୍ରଭାବିତ, ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ଠପ୍
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ‘ଇଣ୍ଡିଆ ବ୍ଲକ୍’ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଆହ୍ୱାନ କରାଯାଇଥିବା ବେଳେ ଜିଲ୍ଲାର ପ୍ରମୁଖ ସହର ଓ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ବସ୍ ସମେତ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ଠପ୍ ହୋଇପଡ଼ିଛି । ଜିଲ୍ଲାର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଥିବା ନଜରକୁ ଆସିଛି । ତେବେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ହସ୍ପିଟାଲ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାଗୁଡ଼ିକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି ।