ଆନ୍ତଃ ଜିଲ୍ଲା ଚୋରଙ୍କୁ କାବୁ କଲା ପୋଲିସ

  • ମାଷ୍ଟର ମାଇଣ୍ଡ ସୁଗମ ସମେତ ୨ ସହଯୋଗୀ ଗିରଫ
  • ସୁନା ଓ ରୂପା ଅଳଙ୍କାର, ମୋବାଇଲ, ଗାଡି ସହିତ ଲକ୍ଷାଧିକ ଟଙ୍କା ଜବତ

ଟିଟିଲାଗଡ, (ଦେବାଶିଷ ମିଶ୍ର) : ଟିଟିଲାଗଡ ପୋଲିସ ଆନ୍ତଃ ଜିଲ୍ଲା ଚୋରଙ୍କୁ କାବୁ କରିବା ସହ ସେମାନଙ୍କ ପାଖରୁ ସୁନା ଓ ରୂପା ଅଳଙ୍କାର, ୩ଟି ମୋବାଇଲ, ଗୋଟିଏ ଗାଡି ଓ ନଗଦ ୧ ଲକ୍ଷ ୩୩ ହଜାର ଟଙ୍କା ଜବତ କରିଛି । ଏହି ଘଟଣାରେ ଭଡାଟିଆ ସୁଗମ ଚରଣ ବେହେରା ମାଷ୍ଟର ମାଇଣ୍ଡ ଥିବା ବେଳେ ବରଗଡ ଜିଲ୍ଲାରୁ ମହେଶ କୁମାର ଶର୍ମା ଓ ଗଙ୍ଗା ଏକ ଟିମ୍‌ କରି ହନୁମାନ ପ୍ରସାଦ ଜୈନଙ୍କ ରଘୁନାଥପଡା ବାସଭବନକୁ ପଶି ସୁନା, ରୂପା ଓ ନଗଦ ଟଙ୍କା ଲୁଟ କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଟିଟିଲାଗଡ ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଟିଟିଲାଗଡ ରଘୁନାଥପଡା ବାସିନ୍ଦା ହନୁମାନ ପ୍ରସାଦ ଜୈନ ତାଙ୍କ ପତ୍ନୀ ଓ ପୁତ୍ରଙ୍କ ସହିତ ଚିକିତ୍ସା ପାଇଁ କଟକ ଯାଇଥିଲେ । ୧୪ ତାରିଖ ଘରକୁ ଫେରିବା ବେଳେ ଘରେ ଚୋରି ହୋଇଥିବା ଜାଣି ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ ସବ୍‌ ଇନିସ୍ପେକ୍ଟର ନରେନ୍ଦ୍ର ଛତ୍ର, ଦେବାଶିଷ ଶତପଥୀ, କନେଷ୍ଟେବଲ ରାମ ବଗର୍ତ୍ତୀ, ପିତାମ୍ବର ପୂଜାରୀ, ହିମାଂଶୁ ଭୋସାଗର ଓ ଅନ୍ୟମାନଙ୍କୁ ନେଇ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ଘଟଣାର ତନାଘନା ତଦନ୍ତ ପରେ ଅଭିଯୋଗକାରୀ ଶ୍ରୀ ଜୈନଙ୍କ ଘରେ ଭଡାଟିଆ ରହୁଥିବା ସୁଗମ ଚରଣ ବେହେରା ହିଁ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା । ସୁଗମ ହିଁ ଘରେ ମାଲିକ ନଥିବା ସୁଯୋଗ ନେଇ ବରଗଡର ଦୁଇ ସାଙ୍ଗ ମହେଶ ଓ ଗଙ୍ଗାଙ୍କ ସହ ଚୋରିର ଯୋଜନା କରିଥିଲା ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଅଭିଯୁକ୍ତମାନେ ଆଖପାଖ ଜିଲ୍ଲାର ଆଉ କେଉଁ ଘଟଣାରେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଯାଞ୍ଚ ଜାରି ରଖିଛି ।

Leave A Reply

Your email address will not be published.

8 + eighteen =