jayashree

ଗୋଡ଼ଭଗାରେ ଜବରଦଖଲ ଉଚ୍ଛେଦ ଶାନ୍ତିପୂର୍ଣ୍ଣ, ପ୍ରଶାସନକୁ ଲୋକଙ୍କ ସହଯୋଗ

  • ରାସ୍ତା ପ୍ରଶସ୍ତୀକରଣ ପାଇଁ ଭଙ୍ଗାଗଲା ଦୋକାନ ଓ ଘର, ବାସହୀନ ପରିବାରଙ୍କ ଦୁର୍ଦ୍ଦଶା ପ୍ରତି ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ

ଅତାବିରା, (ମୋହନ ସାହୁ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା-ତୁରୁମ ରାସ୍ତାରେ ସରକାରୀ ଜମି ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ରାସ୍ତାର ପ୍ରଶସ୍ତୀକରଣ ଓ ଦୋହରୀକରଣ ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି । ଉଲ୍ଲେଖନୀୟ ଯେ, ଉଚ୍ଛେଦ ପ୍ରକ୍ରିୟା ସମୟରେ କୌଣସି ପ୍ରକାର ଚାପା ଉତ୍ତେଜନା, ବିରୋଧ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ଅଞ୍ଚଳବାସୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଦେଖାଯାଇଛି । ସୂଚନା ଅନୁଯାୟୀ, ଗୋଡ଼ଭଗା କେନାଲ ହିଡ଼ ଉପରେ ବହୁ ବର୍ଷ ଧରି ଅନେକ ଲୋକ ଦୋକାନ ବଜାର ଖୋଲିବା ସହ ଘର ନିର୍ମାଣ କରି ବସବାସ କରୁଥିଲେ । ଗୋଡ଼ଭଗା-ତୁରୁମ ରାସ୍ତାରେ ଦିନକୁ ଦିନ ଯାନବାହନ ଓ ଲୋକଙ୍କ ଯାତାୟାତ ବୃଦ୍ଧି ପାଉଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଥିଲା । ଫଳରେ ଯାତାୟାତରେ ନାନା ସମସ୍ୟା ଦେଖାଦେଇ ଥିଲା । ଏହି ନେଇ ତହସିଲ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ପୂର୍ବରୁ ନୋଟିସ ଜାରି କରାଯାଇ ନିଜ ନିଜର ଜିନିଷପତ୍ର ଓ ସାମଗ୍ରୀ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶାସନର ନୋଟିସ ପାଇବା ପରେ ଜବରଦଖଲକାରୀମାନେ ନିଜ ନିଜର ଜିନିଷପତ୍ର ସ୍ୱଇଚ୍ଛାରେ ଖାଲି କରି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଥିଲେ । ପରେ ତହସିଲଦାର କେ. ରିଚି କୁମାର, ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା, ଦୀପକ ପତି, ଗୋଡ଼ଭଗା ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ଜେସିବି ମେସିନ ସହାୟତାରେ ଦୋକାନ ଓ ଘରଗୁଡ଼ିକୁ ଭଙ୍ଗାଯାଇଥିଲା । ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ଯେତେ ଶାନ୍ତିପୂର୍ଣ୍ଣ ଥିଲା, ଉଚ୍ଛେଦ ପରବର୍ତ୍ତୀ ଦୃଶ୍ୟ ସେତିକି ହୃଦୟ ବିଦାରକ ଥିଲା । ଦୋକାନୀ ଓ ପରିବାରଗୁଡ଼ିକ ଘର ନିର୍ମାଣ କରି ବର୍ଷ ବର୍ଷ ଧରି ସେଠାରେ ରହୁଥିଲେ, ସେମାନଙ୍କ ମୁଣ୍ଡ ଉପରୁ ହଠାତ୍ ଛାତ ହଟିଯାଇଛି । ଛୋଟ ଛୋଟ ଶିଶୁ, ବୃଦ୍ଧବୃଦ୍ଧା ଓ ପରିବାର ସଦସ୍ୟଙ୍କୁ ନେଇ ଅନେକେ ରାସ୍ତାକଡ଼ରେ ରାତି କାଟିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି । ଘର ଭାଙ୍ଗିଯିବା ପରେ ରୋଷେଇ କରିବାର ବ୍ୟବସ୍ଥା ନଥିବାରୁ ପରିବାରଗୁଡ଼ିକ ଗୋଡ଼ଭଗା ହନୁମାନ ମନ୍ଦିର ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଯାଇଛି । ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି, ରାସ୍ତା ପ୍ରଶସ୍ତୀକରଣ ଓ ବିକାଶ ନିଶ୍ଚିତ ଭାବେ ଅଞ୍ଚଳର ଆବଶ୍ୟକତା । କିନ୍ତୁ ବିକାଶର ଏହି ପ୍ରକ୍ରିୟାରେ ବାସହୀନ ହୋଇଥିବା ପରିବାରଗୁଡ଼ିକ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବିକଳ୍ପ ବାସସ୍ଥାନ କିମ୍ବା ତତ୍କାଳ ସହାୟତା ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ଚିନ୍ତାର ବିଷୟ । ଜବରଦଖଲ ଉଚ୍ଛେଦ ପୂର୍ବରୁ ନୋଟିସ ଦେବା ଯେପରି ପ୍ରଶାସନର ଦାୟିତ୍ୱ, ସେହିପରି ପ୍ରଭାବିତ ଗରିବ ପରିବାରଙ୍କ ମାନବିକ ସମସ୍ୟା ପ୍ରତି ଧ୍ୟାନ ଦେବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ । ବିକାଶ କେବଳ ରାସ୍ତା ଚଉଡ଼ା କରିବାରେ ସୀମିତ ନରହି ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସହ ଜଡ଼ିତ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଗୋଡ଼ଭଗାରେ ଜବରଦଖଲ ଉଚ୍ଛେଦ ସମୟରେ ଲୋକଙ୍କ ଧୈର୍ଯ୍ୟ, ସହଯୋଗ ଓ ପ୍ରଶାସନ ପ୍ରତି ସକାରାତ୍ମକ ମନୋଭାବ ଏକ ଉଦାହରଣ ସୃଷ୍ଟି କରିଛି । ବର୍ତ୍ତମାନ ଉକ୍ତ ରାସ୍ତାକୁ ପ୍ରଶସ୍ତ କରି ଦୋହରୀକରଣ କରାଯିବାର ସୂଚନା ମିଳିଛି । ଗୋଡ଼ଭଗାବାସୀ ଶାନ୍ତି ଓ ସହଯୋଗର ପରିଚୟ ଦେଇ ପ୍ରଶାସନର କାର୍ଯ୍ୟକୁ ସହଜ କରିଥିବା ବେଳେ, ଏବେ ଘର ହରାଇଥିବା ପରିବାରଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କୁ ଥଇଥାନ କରିବାର ଦାୟିତ୍ୱ ସରକାରଙ୍କର ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.