ଏକ୍ସନ୍‌ ମୋଡ୍‌ରେ ବଲାଙ୍ଗିର ପୋଲିସ

  • ଡକାୟତି ଉଦ୍ୟମରେ ୬ ଜଣ ଗିରଫ
  • ବନ୍ଧୁକ, ଖଣ୍ଡା, ଭୁଜାଲି, ମୋବାଇଲ ଓ ଗାଡ଼ି ଜବତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନର ନୀରବତା ପରେ ବଲାଙ୍ଗିର ପୋଲିସ ଏବେ ଏକ୍ସନ୍‌ ମୋଡ୍‌କୁ ଆସିଛି । ସାରା ଜିଲ୍ଲାରେ ପଳାତକ ଅପରାଧିଙ୍କୁ ନିକଟସ୍ଥ ଥାନାରେ ଆତ୍ମସମର୍ପଣ ପାଇଁ ପୋଲିସ ପକ୍ଷରୁ ନୋଟିସ୍‌ କରାଯାଉଛି । ସେହିପରି ଗତକାଲି ବଲାଙ୍ଗିର ପୋଲିସ ସହରରେ ମଧ୍ୟ ନୂଆଁ ରୂପ ଦେଖାଇଛି । ସୂଚନା ଅନୁସାରେ, କୌଣସି ସୂତ୍ରରୁ ବଡ଼ ଧରଣର ଲୁଟ୍‌ ଖବର ପାଇବା ପରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଷ୍ଣୁମୁଣ୍ଡା ଅଂଚଳରୁ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି । ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସହର ସାରା ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ଅପରାଧି ଲୁଟେରାଙ୍କୁ କାବୁ କରିବା ପାଇଁ ପୋଲିସ ଅଣ୍ଟା ଭିଡିଥିବା ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି । ସେହି କ୍ରମରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ଖବର ପାଇ ଟାଉନ ପୋଲିସର ପେଟ୍ରୋଲିଂ ଟିମ୍‌ ୬ ଜଣ ଲୁଟେରାଙ୍କୁ କାବୁ କରିବା ସହ ଲୁଟେରାମାନଙ୍କ ନିକଟରୁ ୨ଟି ସ୍କୁଟି, ଗୋଟିଏ ବାଇକ, ୬ଟି ମୋବାଇଲ ଫୋନ୍‌, ୨ଟି ଖଣ୍ଡା, ଗୋଟିଏ ସକ୍‌ଅପ୍‌ ରଡ୍‌ ଓ ଗୋଟିଏ ଏୟାର ଗନ୍‌ ଜବତ କରିଛି । ତା’ ସହ ବିଷ୍ଣୁମୁଣ୍ଡାର ଶ୍ରୀକାନ୍ତ ସୁନା(୨୪), ନିତେଇ ନନ୍ଦ(୨୪), ଅବିନାଶ ଓରଫ ସୁମନ ବାଗ(୧୯), ସୁଦାମ ସୁନା(୨୫) ଓ ମାଲଗୋଦାମପଡାର ଧନେଶ୍ୱର ନାଗ(୨୬) ଓ ତେଜରାଜ ନନ୍ଦ(୨୬) ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ପୂର୍ବରୁ ମଧ୍ୟ ବିଭିନ୍ନ ଲୁଟ୍‌ ତରାଜ ମାମଲାରେ ସାମିଲ ଥିବା ନେଇ ପୋଲିସ ସୂଚନା ଦେଇଥିବା ବେଳେ ସହରର ଅନ୍ୟ ଅପରାଧିଙ୍କୁ ପୋଲିସ କଡା ତାଗିଦ କରିଛି । ତେବେ ପୋଲିସର ଏହି ରୂପ ସହରବାସୀଙ୍କୁ ବେଶ ଆଶ୍ୱସ୍ଥି କରିଛି ।

Leave A Reply

Your email address will not be published.

twenty − eleven =