
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ନେହେରୁନଗର ଖର୍ସେଲ୍ପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ଲକ୍ଷ୍ମୀଜୋର୍ ପୋଲିସ ସଦଳବଳେ ଆସି ଘଟଣା ସ୍ଥଳରୁ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ୍ କରିଥିବା କୁହାଯାଉଛି । ଦିଆଯାଇଥିବା ସୂଚନା ଅନୁସାରେ ଖର୍ସେଲ୍ପଡ଼ାର ଏକ ତିନି ମହଲା ବିଶିଷ୍ଟ କୋଠା ଘର କିଛି ଦିନ ହେଲା ଖାଲି ରହିଥିବା ବେଳେ ଚୋରମାନଙ୍କ ନଜର୍କୁ ଆସିଛି ସେହି କୋଠା ଘର । ଏପରିକି କୋଠା ଘରେ ପଡ଼ିଥିବା ତାଲା ଭାଂଗି ଚୋରମାନେ ଘର ଭିତରେ ଥିବା ଆସବାବପତ୍ର ଚୋରି କରି ନେବା ପରେ କିଛି ଦିନ ହେଲା ଚୋରମାନେ କବ୍ଜା କରି ନେଇଥିଲେ ସଂପୃକ୍ତ କୋଠାଘର । କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳୁ ଘର ମାଲିକ ପହଂଚି ପୋଲିସକୁ ଖବର ଦେବା ପରେ ସଂପୃକ୍ତ କୋଠାଘରକୁ ସାମ୍ନା ପଟରୁ ତାଲା ମାରି ଦିଆଯାଇଥିଲା । ପରେ ଲକ୍ଷ୍ମୀଜୋର୍ ପୋଲିସ ଘର ଉପରେ ଚଢ଼ାଉ କରିଥିଲା ଏବଂ ତିନି ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା । କିଛି ଜଣ ତିନି ମହଲା କୋଠା ଉପରୁ ଜମ୍ପ ମାରି ଫେରାର୍ ହୋଇଥିବା ଚର୍ଚ୍ଚା ହେଉଛି । ପୋଲିସ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଛି । ଏହି ଘଟଣାରେ ସଂପୃକ୍ତ ଥିବା ଯୁବକମାନଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା କୁହାଯାଉଛି । ଏହି ଘଟଣା ବଲାଙ୍ଗିର ସହରରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।