
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର କୋଲକାତାସ୍ଥିତ ନେତାଜୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ‘ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍’ରେ ବଲାଙ୍ଗିରର କରାଟେକାମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରତିଯୋଗିତାରେ ବଲାଙ୍ଗିର ଦଳ ୧୧ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୭ଟି କାଂସ୍ୟ ପଦକ ସହ ମୋଟ ୩୬ଟି ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛି । ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ଆଦିତ୍ୟ ସିଂ ବାରିକ, ଆନନ୍ଦିତା ସାହୁ, ଅଂଶୁମାନ ଧରୁଆ, ଯଶୋବନ୍ତ କୁମ୍ଭାର (ଦୁଇଟି ସ୍ୱର୍ଣ୍ଣ), ଜସମିନ ସାହୁ, କାବ୍ୟାରାଣୀ ହଂସ, ଲୋକେଶ ବାଗ, ପଲ୍ଲବୀ ନାଏକ, ଶ୍ୟାମାରାଣୀ ଖୁଆସ ଏବଂ ସୋମେଶ ବାଗ ସାମିଲ ଅଛନ୍ତି । ରୌପ୍ୟ ପଦକ ଅଭିନନ୍ଦନ ସ୍ୱାମୀ ଓ ହିତେଶ ପ୍ରିୟଦର୍ଶୀ ବେହେରାଙ୍କ ନାମରେ ଯାଇଥିବା ବେଳେ କାଂସ୍ୟ ପଦକ ବିଜେତାଙ୍କ ମଧ୍ୟରେ ଆଲିୟନ ତିର୍କି, ଆରୁଶି ବେହେରା, ଆର୍ଶିବାଦ ଦାସ, ଦିବ୍ୟେଶ ଜେନା, ହାର୍ଦ୍ଦିକ ବାରିକ, ଇଭାନ ପ୍ରଧାନ, ପ୍ରୟାଂଶୁ ଶେଖର ଭାଟି, ଶ୍ରୀୟା ସାହୁ ଓ ଶ୍ରୀତ୍ତମ ଭଣ୍ଡ ରହିଛନ୍ତି । ଏହି ଚମତ୍କାର ପ୍ରଦର୍ଶନ ପାଇଁ ବଲାଙ୍ଗିର କରାଟେ ସଂଘ ଓ ବଲାଙ୍ଗିର କରାଟେ ସ୍କୁଲ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଯାଇଛି । ମୁଖ୍ୟ ଉପଦେଷ୍ଟା ମାନୁଏଲ ନାଗ, ସଭାପତି ସଚ୍ଚିଦାନନ୍ଦ ବାଗ, ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ ଓ କୋଷାଧ୍ୟକ୍ଷ ରବି ବେହେରା ସଫଳ କ୍ରୀଡ଼ାବିଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ସ୍କୁଲର ସମ୍ପାଦକ ହୃଦୟ ଶବର ରେଫରୀ ଓ ଜଜ୍ ଭାବେ ଦାୟିତ୍ୱ ତୁଳାଇଥିବା ବେଳେ ଟିମ୍ ମ୍ୟାନେଜର ରାଜେନ୍ଦ୍ର ବାଗଙ୍କ ସହ ସହଯୋଗୀ ପ୍ରଶିକ୍ଷକ ରେଖା ମନହିରା ଓ ବିନୋଦିନୀ ଠେଲା ଦଳକୁ ନେତୃତ୍ୱ ଦେଇଥିଲେ । ପ୍ରତିଯୋଗିତା ଶେଷରେ ଦଳ ବଲାଙ୍ଗିର ଫେରିବା ପରେ ରେଳ ଷ୍ଟେସନରେ ବଲାଙ୍ଗିର କରାଟେ ସ୍କୁଲ ପକ୍ଷରୁ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା ।