ଝାରସୁଗୁଡା : ମୋବାଇଲ୍ ଚୋରି ହୋଇଥିବା ଓ ହଜିଯାଇଥିବା ନେଇ ଝାରସୁଗୁଡ଼ା ଜିଲାର ବିଭିନ୍ନ ଥାନାରେ ସମୁଦାୟ ୪୧୩ଟି ମାମଲା ରୁଜୁ ହୋଇଥିଲା । ଏନେଇ ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ସାଇବର୍ ସେଲ୍ ଓ କେତେକ ପୋଲିସ୍ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ପୋଲିସ୍ ଟିମ୍ ଗତ ଜୁନ୍ ୧୦ତାରିଖରୁ ତଦନ୍ତ ଆରମ୍ଭ କରି ଚୋରି ଓ ହଜି ଯାଇଥିବା ମୋବାଇଲ୍ର ଆଇଏମ୍ଇଆଇ ନମ୍ବରକୁ ଟ୍ରାକ୍ କରି ଠାବ କରିଥିଲା । ଏଥିମଧ୍ୟରେ ଦିଲ୍ଲୀ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ଚଢାଉ କରି ସମୁଦାୟ ୨୦୧ଟିମୋବାଇଲ୍ ଜବତ କରିଛି । ଏହି ସବୁ ଜବତ ମୋବାଇଲ୍ର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ଏହି ମାମଲାରେ ପୋଲିସ୍ ପୂର୍ବରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଜିଲ୍ଲା ପୋଲିସ୍ର ଏହି ଅଭିଯାନ ଜାରି ରହିଥିବା ବେଳେ ଆହୁରି ମୋବାଇଲ୍ ଉଦ୍ଧାର ହେବା ସହ କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍ପି ଜୈନ କହିଛନ୍ତି । ଉଦ୍ଧାର ମୋବାଇଲକୁ ନେଇ ମଙ୍ଗଳବାର ଏସ୍ପିଙ୍କ କାର୍ଯ୍ୟାଳୟରେ ଏକ ମୋବାଇଲ୍ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ଲୋକେ ଉପସ୍ଥିତ ରହି ନିଜ ନିଜର ପ୍ରମାଣପତ୍ର ଦାଖଲ କରିବା ପରେ ଏସ୍ପି ସେମାନଙ୍କୁ ମୋବାଇଲ୍ ପ୍ରଦାନ କରିଥିଲେ । ଦୀର୍ଘଦିନ ପରେ ଲୋକେ ନିଜ ନିଜର ମୋବାଇଲ୍ ପାଇବା ପରେ ବିତରଣ ମେଳାରେ ଲୋକେ ଜିଲ୍ଲା ପୋଲିସ୍ର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ ।
Next Post