- ରତ୍ନମୟ ତ୍ରିପାଠୀ
ତା’ ଓଦା ପଣତରୁ
ଝରୁଥିଲା ବାସଲ୍ୟର ଝର
ରୋଗୀଣା ଛୁଆର ମୁହଁରେ
ଆହାର ଦେବାପାଇଁ
ଶୁଖି ସାରିଥିଲା ଅମୃତର ଧାର ।
କାଳ ବୈଶାଖୀରେ
ଉଡି ଯାଇଥିବା ଫାଳେ ଛପର
ସଜା ହୋଇ ପାରିନି
ପ୍ରଶାସନର ସହାୟତା ପ୍ରତିଶୃତି
ଏଯାଏ ମିଳିନି ।
ଅଧିକ ରୋଜଗାର ପାଇଁ
ଦଲାଲ ସାଥେ ଯାଇଥିବା ମଣିଷ
ଆଉ ଫେରିଲାନି
ପଲିଥିନ ପାଳଟେ ଦେବ ବୋଲି
ଡାକି ନେଇଥିବା ସରପଞ୍ଚ ଘରୁ
ତେରବର୍ଷର ଝିଅ ଏଯାଏ ଆସିନି ।
ବର୍ଷାରେ ଧସକି ପଡୁଥିବା ମାଟିକାନ୍ଥ ଭିତରୁ
ରୁଈଚାଳ ସବୁ ନିରୀହ ଦିଶୁଥିଲା
ଭରା ଯୌବନରେ ଧସକି ସାରିଥିବା ମନ ନେଇ
ଓଦା ଲୁଗାରେ ସେ ଦେହ ଢ଼ାଙ୍କୁଥିଲା ।
ତାକୁ ମନେ ପଡୁଥିଲା ପିଲାବେଳର ଗୀତ
ମେଘ ବରଷଇ ଟୁପୁରୁ ଟାପୁରୁ
କେଶୁର ମାଇଲା ଗଜା
କେଉଁ ରାଇଜରେ ରହିଲେ ମୋ ରାଜା
ତେଲିଙ୍ଗି ବାଇଦ ବଜା ।
ଏଠି ତାକୁ କିଛିଵି ଭଲ ଲାଗୁ ନଥିଲା
ଆଖିରୁ ଗଡୁଥିଲା ଲୁହର ଧାର
ବାହାରେ ଝରୁଥିଲା ବର୍ଷାର ଝର
ମେଘ ଘଡଘଡି ବିଜୁଳି ସାଥେ
ରାତି ଅନ୍ଧାରରେ ମିଳେଇ ଯାଉଥିଲା
ଘରକୁ ଫେରିବାକୁ ପାଦ କାଢିଥିବା
କୁଆଁରୀ ଝିଅର ଅସହାୟ ସ୍ୱର ।
- ଅଧ୍ୟୟନ, ବଲାଙ୍ଗିର