ପତ୍ରାପାଲି(ଖ) ଗ୍ରାମପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ନଭେମ୍ବର ୧୧ ତାରିଖ ଦିନ ଦୁଇଟା ସମୟରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି(ଖ) ଗ୍ରାମପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ହେମନ୍ତ କୁମାର ପୋଡ଼ଙ୍କ ଉପରେ ପତ୍ରାପାଲି ଗ୍ରାମର ଚାରି ଜଣ ବ୍ୟକ୍ତି ମଦ୍ୟପାନ କରି ଆକ୍ରମଣ କରିଥିଲେ । ପତ୍ରାପାଲି(ଖ) ଗ୍ରାମପଞ୍ଚାୟତରେ ଚାଉଳ ବଣ୍ଟନ ସମୟରେ ପତ୍ରାପାଲି ଗ୍ରାମର ଚାରି ଜଣ ବ୍ୟକ୍ତି ଜୁଦାମନ ନାଗ, ସରୋଜ ବାଗ, ଯଦୁମଣି ନାଗ, ଲକ୍ଷପତି ବାଗ ଆଦି ଆସି ସାତ ବସ୍ତା ଲେଖାଏଁ ଚାଉଳ ମାଗିଥିଲେ । ଏହାକୁ ବାରଣ କରିବାରୁ ସହକାରୀ ଯୋଗାଣ ଅଧିକାରୀ ହେମନ୍ତ ପୋଡ଼ଙ୍କ ଉପରେ ଆକ୍ରମଣ କରି ଜୀବନ ରୁ ମାରି ଦେବା ପାଇଁ ଧମକ ଦେଇ ସ୍ଥାନୀୟ ହିତାଧିକାରୀମାନଙ୍କୁ ଗାଳିଗୁଲଜ କରି ମାଡ଼ ମାରି ଥିବା ଅଭିଯୋଗ ହୋଇଛି । ସେଠାରେ ଚାଉଳ ବଣ୍ଟନ ହେଉଥିବା ସମୟରେ ବ୍ୟବହୃତ ପି ଓ ଏସ ଯନ୍ତ୍ର ଓ ବୈଦ୍ୟୁତିକ ଓଜନ ଯନ୍ତ୍ରକୁ ଭଙ୍ଗାରୁଜା କରିଥିଲେ ବୋଲି ଅଭିଯୋଗ ହୋଇଛି । ସେହି ସମୟରେ ପତ୍ରାପାଲି(ଖ) ଗ୍ରାମପଞ୍ଚାୟତର ସରପଞ୍ଚ ଲିଙ୍ଗରାଜ ବାଗ ଉକ୍ତ ସ୍ଥାନରେ ପହଞ୍ଚି ମୁରିବାହାଲ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ନଭେମ୍ବର ୧୧ ତାରିଖ ରାତି ୧୧ ଟା ସମୟରେ ଅଭିଯୁକ୍ତମାନେ ଶ୍ରୀ ପୋଡ଼ଙ୍କ ଖେରଟ ସ୍ଥିତ ବାସଭବନରେ ଆକ୍ରମଣ କରି ଜାଳି ଦେବା ପାଇଁ ପ୍ରୟାସ କରିଥିଲେ । ସେହି ସମୟରେ ମୁରିବାହାଲ ପୋଲିସ ସୂଚନା ପାଇ ଉକ୍ତ ସ୍ଥାନରେ ପହଞ୍ଚି ଆକ୍ରମଣକାରୀଙ୍କୁ ଗିରଫ କରିଥିଲା । କିନ୍ତୁ କିଛି ସମୟ ପରେ ତାଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମୁରିବାହାଲ ବ୍ଲକର ସମସ୍ତ ଯୋଗାଣ ଅଧିକାରୀ ଆଜି ଟିଟିଲାଗଡ ଉପଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପ୍ରଥମ ଥର ପାଇଁ ନୁହେଁ ଆଗରୁ ମଧ୍ୟ ଅନେକ ସମୟରେ ମଦ୍ୟପ ମାନେ ଆସି ଏହିପରି ହରକତ କରୁଥିବା ଅଭିଯୋଗ କରିଛନ୍ତି । ତେଣୁ ଆକ୍ରମଣ କରି ମାନଙ୍କୁ ଉଚିତ ଦଣ୍ଡ ଦେବା ସହ ବ୍ଲକର ସମସ୍ତ ଯୋଗାଣ ଅଧିକାରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.