ନିଷ୍ଠୁର କରୋନାର ପ୍ରହାର : ଗୋଟିଏ ଦିନରେ ପତି ପତ୍ନୀ ଭଭୟଙ୍କ ଦେହାନ୍ତ

ବାମରା : ନିଷ୍ଠୁର କରୋନାର ପ୍ରହାର ଏବେ ବି ଜାରି ରହିଛି । ସମ୍ବଲପୁର ଜିଲ୍ଲାର ବାମରାର ଷ୍ଟେସନ୍‌ବସ୍ତିରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର । ଗୋଟିଏ ଦିନରେ କରୋନା ସଂକ୍ରମିତ ଦୁଇ ସ୍ୱାମୀ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ମୋତିଲାଲ ଅଗ୍ରୱାଲ(୮୦) ଓ ତାଙ୍କ ପତ୍ନୀ ସୁମିତ୍ରା ଦେବୀ(୭୪) କରୋନା ସଂକ୍ରମିତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଆସିବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଗତ ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ସୁମିତ୍ରା ଦେବୀଙ୍କ ଦେହାନ୍ତ ହୋଇଥିବା ବେଳେ ମାତ୍ର କିଛି ଘଂଟା ଭିତରେ ସ୍ୱାମୀ ମୋତିଲାଲ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା । ଏହି ଖବର ସାରା ଅଂଚଳକୁ ଶୋକାକୁଳ କରି ପକାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମୋତିଲାଲ ଅଗ୍ରୱାଲ ବହୁ ଅନୁଷ୍ଠାନ ସହ ଜଡ଼ିତ ରହି ସମାଜସେବା କାମରେ ବ୍ରତୀ ଥିଲେ । ସ୍ଥାନୀୟ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଭାବେ ତଥା ରାମନବମୀ କମିଟି, ଦୁର୍ଗାପୂଜା କମିଟି, ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

Leave A Reply

Your email address will not be published.