pakka

ବୈତାଳି କ୍ଲଷ୍ଟର ସିଆର୍‌ସିସିଙ୍କ ଅଭିନବ ପ୍ରୟାସ : ପ୍ରତ୍ୟେକ ବିଦ୍ୟାଳୟରେ ରହିଲା ଖବରକାଗଜ ପଠନ କୋଣ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରରେ ଆଞ୍ଚଳିକ ସାଧନ ସଂଯୋଜକ ଭାର ଗ୍ରହଣ କରିବା ପରେ ଶିକ୍ଷକ ଦିବସ କୁମାର ସାହୁ ତାଙ୍କ କ୍ଲଷ୍ଟରରେ ଅନେକ ସଂସ୍କାର ମୂଳକ କାର୍ଯ୍ର କରିଆସୁଛନ୍ତି ଯାହା ଯୋଗୁଁ ଝାରବନ୍ଧ ଅଞ୍ଚଳରେ ତାଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରାଯାଉଛି । ଚଳିତ ବର୍ଷ ଜୁଲାଇ ମାସରୁ ସେ ବୈତାଳି କ୍ଲଷ୍ଟର ସଂଯୋଜକ ଭାବେ ଭାର ଗ୍ରହଣ କରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସାଧାରଣ ଜ୍ଞାନ ତଥା ଦେଶ ଦୁନିଆର ସାମ୍ପ୍ରତିକ ଖବର ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଦ୍ୟାଳୟରେ ଏକ ଖବରକାଗଜ ପଠନ କୋଣ ବ୍ୟବସ୍ଥା କରିଛନ୍ତି । ଯେଉଁଠି ପ୍ରତିଦିନ ସମ୍ବାଦପତ୍ର ରଖାଯାଉଛି ଏବଂ ପିଲାଙ୍କୁ ଏହାର ପଠନ ପାଇଁ ପ୍ରୋତ୍ସାହିତ କରାଯାଉଛି । ସମସ୍ତ ବିଦ୍ୟାଳୟରେ ଖବରକାଗଜ ତଥା ବିଭିନ୍ନ ପତ୍ରିକା କ୍ରୟ କରିବା ପାଇଁ ବିଦ୍ୟାଳୟର ପାଣ୍ଠି ବ୍ୟବହାର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକ ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା, ସେଠାରେ ଅଧିକାଂଶ ପିଲାମାନଙ୍କ ପାରିପାର୍ଶ୍ବିକ ସ୍ଥିତି ଉତ୍ତମ ନ ଥିବାରୁ ବାହ୍ୟ ଜ୍ଞାନରେ ଛାତ୍ରଛାତ୍ରୀ ମାନେ ନିପୁଣ ନ ଥିବା ସିଆର୍‌ସିସି ଦିବସ କୁମାର ସାହୁ ଉପଲବ୍ଧି କରିଥିଲେ । ସେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସମୟରେ ପିଲାମାନଙ୍କୁ ଖବରକାଗଜ ତଥା ନିଉଜ୍ ଦେଖିବା ପାଇଁ ବାରମ୍ବାର କହି ଆସୁଥିଲେ କିନ୍ତୁ ତଥାପି ମଧ୍ୟ ପିଲାମାନଙ୍କ ଅଭ୍ୟାସ ଅଧିକାଂଶରେ ପରିବର୍ତ୍ତନ ହେଉନଥିଲା । ଏହାକୁ ଆଖି ଆଗରେ ରଖି ପିଲାମାନଙ୍କୁ ପ୍ରତିଦିନ ସାମ୍ପ୍ରତିକ ଖବର ମାଧ୍ୟମରେ ସଚେତନ କରିବାର ଏହି ଉପାୟ କରିଥିବା କହିଛନ୍ତି । ପ୍ରତ୍ୟେକ ବିଦ୍ୟାଳୟରେ ଖବରକାଗଜ ପଠନ କୋଣରେ ପ୍ରତିଦିନ ଖବରକାଗଜ ରଖାଯାଇଛି ଯାହାକୁ ପିଲାମାନେ ବିଭିନ୍ନ ବିରତି ସମୟରେ ତଥା ପ୍ରାର୍ଥନା ସଭାରେ ପଠନ କରୁଛନ୍ତି । ଏହି ପ୍ରୟାସ ଦ୍ୱାରା ବୈତାଳି କ୍ଲଷ୍ଟରର ପ୍ରତ୍ୟେକ ଛାତ୍ରଛାତ୍ରୀ ଉତ୍ସାହିତ ଅନୁଭବ କରୁଥିବା ବେଳେ ଅଭିଭାବକ ବୃନ୍ଦ ସିଆର୍‌ସିସି ଦିବସ କୁମାର ସାହୁଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

jay balangir
Leave A Reply

Your email address will not be published.

one × 4 =