
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡା ସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଆସିଛନ୍ତି ସ୍ପେନର ଗବେଷକ । ସୁଦୂର ୟୁରୋପୀୟ ଦେଶ ସ୍ପେନର ବାର୍ସିଲୋନା ସହରର ଜଣେ ବିଦେଶୀ ପର୍ଯ୍ୟଟକ ଯୋଗମାୟା ପୀଠରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ପ୍ରସିଦ୍ଧ ‘ଦେବଗୁମ୍ଫା’ର ମନୋରମ ପରିବେଶକୁ ଉପଭୋଗ କରିଛନ୍ତି । ସୂଚନା ଅନୁଯାୟୀ ଉକ୍ତ ପର୍ଯ୍ୟଟକ ଜଣକ ଆଜକୁ ପ୍ରାୟ ୧୮ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୮ ମସିହାରେ ଏକ ଗବେଷଣାତ୍ମକ କାର୍ଯ୍ୟରେ ଭାରତ ଆସିଥିବା ବେଳେ ପ୍ରଥମ ଥର ପାଇଁ ଗୁର୍ଜିମୁଣ୍ଡାର ମା’ ଯୋଗମାୟା ପୀଠର ଶାନ୍ତ ପରିବେଶକୁ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ଦୀର୍ଘ ବର୍ଷ ପରେ ପୁଣି ଥରେ ଭାରତ ମାଟିକୁ ଫେରିବା କ୍ଷଣି ସେ ସିଧାସଳଖ ଏହି ପବିତ୍ର ପୀଠକୁ ଧାଇଁ ଆସିଥିଲେ । ଯୋଗମାୟା ପୀଠର ପାହାଡ଼, ପ୍ରାକୃତିକ ଗୁମ୍ଫା ଏବଂ ନିରୋଳା ବାତାବରଣ ତାଙ୍କୁ ବିମୋହିତ କରିଛି ବୋଲି ଭାବପୂର୍ଣ୍ଣ ମତ ରଖିଛନ୍ତି ବିଦେଶୀ ପର୍ଯ୍ୟଟକ । ଗୁର୍ଜିମୁଣ୍ଡାର ଏହି ଐତିହ୍ୟ କ୍ଷେତ୍ରକୁ ପୂର୍ବରୁ ମଧ୍ୟ ଅନେକ ବିଦେଶୀଙ୍କ ଆଗମନ ଘଟିଥିବା ବେଳେ, ବାରମ୍ବାର ବିଦେଶୀ ପର୍ଯ୍ୟଟକଙ୍କ ପାଦ ପଡ଼ିବା ଏଠାକାର ପର୍ଯ୍ୟଟନ ସମ୍ଭାବନାକୁ ଉଜ୍ଜୀବିତ କରିଛି ।