jayashree

ଚିକିଟି ଓ ପାତ୍ରପୁର ବ୍ଲକ୍‌ର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ସମସ୍ତ ପ୍ରାକ୍‌ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଶୂନ୍ୟରେ ଜୀବନହାନୀକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପାଳ ମଙ୍ଗଳବାର ଅପରାହ୍ନରେ ଚିକିଟି ଓ ପାତ୍ରପୁର ବ୍ଲକ୍‌ର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତି ଓ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ । ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟଜଳ, ବିଦ୍ୟୁତ୍‌, ଖାଦ୍ୟ, ଔଷଧ ସମେତ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ଓ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜିଲ୍ଲାପାଳ ରମାୟାପାଟଣାଠାରେ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ରକୁ ନଯିବାକୁ ଜିଲ୍ଲାର ସମସ୍ତ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି । ଗଞ୍ଜାମବାସୀଙ୍କ ସୁରକ୍ଷା ଓ ସର୍ବାଙ୍ଗୀନ ମଙ୍ଗଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀକୁ ଆନ୍ତରିକତାର ସହ ପାଳନ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇଏଏସ୍‌ ଶିକ୍ଷାନବିଶ ଏସ୍‌. ସରନ୍ୟା, ସ୍ଥାନୀୟ ବିଡିଓ, ତହସିଲଦାର ଓ ଅନ୍ୟ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.