
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ମହକ ଏଥର ପହଞ୍ଚିବ ବିଦେଶ ମାଟିରେ । ଦୁବାଇରେ ଦୁଲୁକିବ ସମ୍ବଲପୁରୀ ନୃତ୍ୟ ଓ ଗୀତ । ଆସନ୍ତା ୨୭ ତାରିଖରେ ନୂଆଁଖାଇ ପରିବାର ଦୁବାଇ ପକ୍ଷରୁ ଆୟୋଜିତ ହେବ ନୂଆଁଖାଇ ଭେଟଘାଟ-୨୦୨୬ । ଏହି ମହାସମାରୋହରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍ତାଲଗଡ଼ ନାଟ୍ୟ ସଂସଦର ୧୦ ଜଣିଆ କଳାକାର ଦଳ ସାମିଲ ହୋଇ ସମ୍ବଲପୁରୀ ଲୋକନୃତ୍ୟ ଓ ଗୀତ ପରିବେଷଣ କରିବେ । ପଦ୍ମପୁର ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର ପରିଚାଳକ ତଥା ବିଶିଷ୍ଟ ସଙ୍ଗୀତ ଗୁରୁ ସୁରେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି କଳାକାର ଦଳ ବହୁଚର୍ଚ୍ଚିତ ସମ୍ବଲପୁରୀ ନୃତ୍ୟ ‘ନୁନି ନୁ ଭୁଆସେନ୍’ ସମେତ ବିଭିନ୍ନ ଲୋକନୃତ୍ୟ ଓ ଗୀତ ପରିବେଷଣ କରିବେ । ଦଳରେ ସୁରେନ୍ଦ୍ର ସାହୁଙ୍କ ସହ ମଞ୍ଜୁଳା ବିଶ୍ୱାଳ, ରସୁଲ କୁମ୍ଭାର, ଅଶ୍ୱିନୀ ପଟେଲ, ଆୟୁଷି ଅଭିସ୍ମିତା, ମୀନା ବାଗ, ଆଲିସା ପାୱାର, ପ୍ରଥମ କୁମ୍ଭାର ଓ ସ୍ୱାଗତ ତ୍ରିପାଠୀ ପ୍ରମୁଖ କଳାକାର ରହିଛନ୍ତି । ବିଦେଶ ମାଟିରେ ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତିର ଏହି ପ୍ରଦର୍ଶନକୁ ନେଇ ଦୁବାଇରେ ରହୁଥିବା ଓଡ଼ିଆ ପରିବାର ମଧ୍ୟରେ ଉତ୍ସାହ ବଢ଼ିଛି । ନୂଆଁଖାଇ ଭେଟଘାଟକୁ ସଫଳ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛନ୍ତି ଆୟୋଜନ କମିଟିର ମୁଖ୍ୟ ପ୍ରଶାନ୍ତ କୁମାର ମେହେର । ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଲୋକକଳାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ଦିଗରେ ଏଭଳି ଆୟୋଜନ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଉତ୍ତାଲଗଡ଼ ନାଟ୍ୟ ସଂସଦର କଳାକାରମାନେ ଦୁବାଇ ମଞ୍ଚରେ ପଶ୍ଚିମ ଓଡ଼ିଶାର ମାଟିର ଗୀତ ଓ ନୃତ୍ୟ ପରିବେଷଣ କରି ନିଜ ଅଞ୍ଚଳର ସଂସ୍କୃତିର ପରିଚୟ ଦେବେ । ଏହି ଅବସରରେ ନାଟ୍ୟ ସଂସଦର ସଂଯୋଜକ ସୁଶାନ୍ତ ମିଶ୍ର, ସଭାପତି ହୃଦମଣି ସାହୁ, ସମ୍ପାଦକ ସୁଶାନ୍ତ ରଞ୍ଜନ ପ୍ରଧାନଙ୍କ ସମେତ ବାସୁଦେବ ପ୍ରଧାନ, ଗଜାନନ ସାହୁ ଓ ବିବେକାନନ୍ଦ ପ୍ରଧାନ ପ୍ରମୁଖ ସଦସ୍ୟ ଦୁବାଇ ଯାଉଥିବା ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।