jayashree

ରାଜ୍ୟସ୍ତରୀୟ ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୭ଟି ପ୍ରସ୍ତାବ ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୬ର ବିଶ୍ୱବିଦ୍ୟାଳୟସ୍ତରୀୟ ପର୍ଯ୍ୟାୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଛି । ଏଥିରୁ ସାତଟି ଶ୍ରେଷ୍ଠ ଅଭିନବ ପ୍ରସ୍ତାବ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି । ଦେଶରେ ନବସୃଜନ ଓ ଉଦ୍ୟମିତାକୁ ସ୍ୱନିଯୁକ୍ତି ଏବଂ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ଭାବେ ଗୁରୁତ୍ୱ ଦିଆଯାଉଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଭଳି ପଦକ୍ଷେପ ମାଧ୍ୟମରେ ଯୁବ ଉଦ୍ଭାବକ ଓ ଉଦ୍ୟୋଗୀମାନଙ୍କୁ ଆର୍ଥିକ, ପ୍ରଯୁକ୍ତିଗତ, ଇନ୍କ୍ୟୁବେସନ୍ ଓ ମେଣ୍ଟରସିପ୍ ସହାୟତା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଯୁବପିଢ଼ିଙ୍କ ଅଭିନବ ଚିନ୍ତାଧାରାକୁ ଚିହ୍ନଟ ଓ ବିକଶିତ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି । ପ୍ରତିଯୋଗିତାଟି ଅନୁଷ୍ଠାନସ୍ତର, ବିଶ୍ୱବିଦ୍ୟାଳୟସ୍ତର ଓ ରାଜ୍ୟସ୍ତର—ଏହି ତିନୋଟି ପର୍ଯ୍ୟାୟରେ ଆୟୋଜିତ ହେଉଛି । ଉଚ୍ଚ ଶିକ୍ଷା ବିଭାଗରୁ ଏ ସମ୍ପର୍କିତ ପତ୍ର ପ୍ରାପ୍ତ ହେବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏହାର ଅନୁବନ୍ଧିତ ମହାବିଦ୍ୟାଳୟ ଓ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ଏସ୍‌ଓପି ଓ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠାନସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲା । ପ୍ରତ୍ୟେକ ଅଂଶଗ୍ରହଣକାରୀ ଅନୁଷ୍ଠାନରୁ ଶ୍ରେଷ୍ଠ ତିନୋଟି ପ୍ରସ୍ତାବ ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା । ଅନୁଷ୍ଠାନସ୍ତରର ସମସ୍ତ ପ୍ରତିଯୋଗୀଙ୍କୁ ଇ-ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଚୟନିତ ପ୍ରସ୍ତାବଗୁଡ଼ିକୁ ମେରିଟ୍ ପ୍ରମାଣପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଏହାର ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟରୁ ପ୍ରାୟ ୧୦୩ଟି ଅଭିନବ ପ୍ରସ୍ତାବ ଆସିଥିଲା । ୨୨ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ବିଶ୍ୱବିଦ୍ୟାଳୟସ୍ତରୀୟ ମୂଲ୍ୟାୟନରେ ପ୍ରତିଯୋଗୀମାନେ ଶିକ୍ଷା ଓ ଶିଳ୍ପକ୍ଷେତ୍ରର ବିଶେଷଜ୍ଞଙ୍କୁ ନେଇ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ସମ୍ମୁଖରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ନିଜ ଅଭିନବ ଚିନ୍ତାଧାରା ଉପସ୍ଥାପନ ଓ ପ୍ରତିପାଦନ କରିଥିଲେ । ନବସୃଜନ, ପ୍ରାସଙ୍ଗିକତା, କାର୍ଯ୍ୟକାରିତା, ସମ୍ଭାବ୍ୟ ପ୍ରଭାବ ଏବଂ ଭବିଷ୍ୟତ ବିକାଶର ସୁଯୋଗ ଆଦି ମାନଦଣ୍ଡ ଆଧାରରେ ପ୍ରସ୍ତାବଗୁଡ଼ିକର ମୂଲ୍ୟାୟନ କରାଯାଇ ସାତଟି ଶ୍ରେଷ୍ଠ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୬ ପାଇଁ ଚୟନ କରାଯାଇଛି । ଚୟନିତ ସାତଟି ପ୍ରସ୍ତାବକୁ ମେରିଟ୍ ପ୍ରମାଣପତ୍ର ସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ଚୟନିତ ଛାତ୍ର ଉଦ୍ଭାବକମାନଙ୍କୁ ସେମାନଙ୍କ ଅଭିନବ ଧାରଣା ଓ ପ୍ରୋଟୋଟାଇପ୍‌କୁ ଆହୁରି ବିକଶିତ କରିବାରେ ସହାୟକ ହେବ । ଚୟନିତ ଦଳଗୁଡ଼ିକ ନଭେମ୍ବର ୨୦୨୬ର ତୃତୀୟ ସପ୍ତାହରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିବେ । ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦ଟି ପ୍ରସ୍ତାବକୁ ପ୍ରତ୍ୟେକ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ମେଣ୍ଟରସିପ୍ ଓ ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ କରାଯିବ, ଯାହା ସେମାନଙ୍କ ପ୍ରକଳ୍ପର ପରବର୍ତ୍ତୀ ବିକାଶ ଓ ସମ୍ପୂର୍ଣ୍ଣତାରେ ସହାୟକ ହେବ । ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଶ୍ରେଣୀକକ୍ଷ ଶିକ୍ଷାର ସୀମାରୁ ବାହାରି ନିଜ ଜ୍ଞାନ, ସୃଜନଶୀଳତା ଓ ଅଭିନବ ଚିନ୍ତାଧାରାକୁ ବାସ୍ତବ ସମସ୍ୟାର ସମାଧାନରେ ପ୍ରୟୋଗ କରିବାର ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି ।

Leave A Reply

Your email address will not be published.