jayashree

ଯଉଁରା ଭଉଁରା ପଞ୍ଚାୟତରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯଉଁରା ଭଉଁରା ପଞ୍ଚାୟତରେ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ସଞ୍ଚୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ ଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ, ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ମେନେଜର, ସୋନପୁର ସତ୍ୟବ୍ରତ ପ୍ରଧାନ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସାଇବର ସେଲ୍‌ର ସବ୍‌ଇନ୍‌ସ୍ପେକ୍ଟର ରବୀନ୍ଦ୍ର ସାହୁ, ଯଉଁରା ଭଉଁରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟମ ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ମଙ୍ଗଳ ପଧାନ କନ୍ୟା ସନ୍ତାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପରିଚାଳିତ ସୁକନ୍ୟା ସମୃଦ୍ଧି ଯୋଜନା ସମେତ ସ୍ୱଳ୍ପ ସଞ୍ଚୟର ବିଭିନ୍ନ ଯୋଜନା ଏବଂ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସତ୍ୟବ୍ରତ ପ୍ରଧାନ ଡାକଘରର ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ସୂଚନା ଦେଇ ସୁରକ୍ଷିତ ଓ ବିଶ୍ୱସନୀୟ ସଞ୍ଚୟ ପ୍ରଣାଳୀ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରେରିତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସାଇବର ସେଲ୍‌ର ସବ୍‌ଇନ୍‌ସ୍ପେକ୍ଟର ରବୀନ୍ଦ୍ର ସାହୁ ସମାଜରେ ଘଟୁଥିବା ବିଭିନ୍ନ ସାଇବର ଅପରାଧ ସମ୍ପର୍କରେ ଆଲୋଚନା କରି, ଏଥିରୁ କିପରି ସୁରକ୍ଷିତ ରହିବେ ସେ ବିଷୟରେ ଅବଗତ କରେଇଥିଲେ ଏବଂ ଏଭଳି ଅପରାଧର ଶିକାର ହେଲେ ଟୋଲ୍ ଫ୍ରି ନମ୍ବର ୧୯୩୦ରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳା ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ଯଉଁରା ଭଉଁରା ପଞ୍ଚାୟତର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରୟାସକୁ ସୁଦୃଢ଼ କରିବା ସହ ଲୋକଙ୍କୁ ବିଭିନ୍ନ ଠକ ସଞ୍ଚୟ ସଂସ୍ଥା (ଚିଟ୍‌ଫଣ୍ଡ)ର ପ୍ରତାରଣାରୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ଥିଲା । କାର୍ଯ୍ୟକ୍ରମରେ ସଞ୍ଚୟ ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଆର୍ଥିକ ସେବା ଓ ସଞ୍ଚୟ କାର୍ଯ୍ୟାଳୟ, ସୁବର୍ଣ୍ଣପୁରର କିରାଣୀ ସଞ୍ଜୟ କୁମାର ବାରିକ ସୁଚାରୁରୂପେ ପରିଚାଳନା କରିଥିଲେ । ଏଜେଣ୍ଟ ସଞ୍ଜୟ ତ୍ରିପାଠୀ ଏବଂ ସୁଶୀଲ ସାହୁ ଶିବିରରେ ସହଯୋଗ କରିଥିବା ବେଳେ ଶିବିର ଶେଷରେ ବରିଷ୍ଠ ଏଜେଣ୍ଟ ନବଘନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.