pakka

ବଲାଙ୍ଗିରରେ ସାଧାରଣ ନିର୍ବାଚନ ୨୦୨୪ ଉତ୍ତମ ପରିଚାଳନା ପାଇଁ ସାମ୍ବାଦିକ ସମ୍ମିଳନୀ

bbehera
  • ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନକୁ ଗୁରୁତ୍ଵ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣତନ୍ତ୍ରର ମହାପର୍ବ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪କୁ ସୂଚାରୁ ରୂପେ ଆୟୋଜନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ବଲାଙ୍ଗିର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଇସଲୱାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ବଲାଙ୍ଗିରରେ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । ପଞ୍ଚମ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୨୬ ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୩ ମେ ରଖାଯାଇଛି । ୬ ମେ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୨୦ ମେ ଦିନ ମତଦାନ ଏବଂ ୪ ଜୁନ ଦିନ ଭୋଟ ଗଣତି ହେବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ସନ୍ଦର୍ଭରେ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲାସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ ପ୍ରାର୍ଥୀ କେନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଗୁଡ଼ିକ ଯଥା ସି-ଭିଜିଲ ଆପ୍‌, ସୁବିଧା ପୋର୍ଟାଲ୍‌, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ୍‌, ଭୋଟର ହେଲ୍ପଲାଇନ୍‌ ଏବଂ ସକ୍ଷମ ଆପ୍‌ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ଜିଲ୍ଲା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସୂଚନା ଦେବାକୁ ଯାଇ ଶ୍ରୀ ଇସଲୱାର କହିଥିଲେ ଯେ, ଜିଲ୍ଲାରେ ମତଦାତା ସଂଖ୍ୟା ୧୩,୨୩,୧୬୨ ଥିବାବେଳେ ପୁରୁଷ- ୬,୭୦,୪୦୬, ମହିଳା-୬,୫୨,୪୬୬ ଜଣ । ସମୁଦାୟ ଭୋଟରମାନଙ୍କ ମଧ୍ୟରୁ ୧୮,୩୧୫ ଜଣ ଶାରୀରିକ ଅକ୍ଷମ ବ୍ୟକ୍ତି ଥିବାବେଳେ ନୂତନ ଭୋଟର ସଂଖ୍ୟା ୩୨,୧୩୧ ଜଣ ଏହି ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ଭାବରେ ଜିଲ୍ଲାରେ ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିୟୋଜିତ ହୋଇଛନ୍ତି । ଏହା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଗଣମାଧ୍ୟମକୁ ବାର୍ତ୍ତା ଦେଇ କହିଥିଲେ ଯେ ଏହି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୌଣସି ପ୍ରକାର ଦ୍ୱନ୍ଦ୍ୱ, ହିଂସା ଏବଂ ଅପ୍ରତିକର କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତତ୍‌ ସହିତ ଠିକ ସମୟରେ ଏବଂ ସଠିକ ଉପାୟରେ ନିର୍ବାଚନ ପରିଚାଳନା କରିହେବ ସେଥି ପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ଡେପୁଟି କଲେକ୍ଟର ଇଲେକ୍ସନ୍‌ ରାଜେନ୍ଦ୍ର କୁମାର ନାୟକ, ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 − eighteen =

error: Content is protected !!