ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଉପଖଣ୍ଡ ଦଶମାଇଲ ଛକରେ ପଡି ରହିଥିବା ଏକ ଅସହାୟ ଶବକୁ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡ଼ର ସଦସ୍ୟମାନେ ସସମ୍ମାନେ ଗର୍ଭନା ଗ୍ରାମରେ ଥିବା ଶ୍ମଶାନରେ ସତ୍କାର କରିଥିଲେ । ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ତଲିପଡାର ମୂଳ ବାସିନ୍ଦା ଅଶୋକ ଦାସ(୬୦) । ସେ ଅନେକ ବର୍ଷ ହେଲା ଘରୁ ଅନ୍ୟତ୍ର ରହିଆସୁ ଥିଲେ । ଦୀର୍ଘ ବର୍ଷ ହେଲା ଦଶମାଇଲ ଛକରେ ରହି ଏଣେ ତେଣେ ଭିକ୍ଷାବୃତ୍ତି କରି ନିଜର ପେଟ ପୋଷଣ କରୁଥିଲେ ଏବଂ ରାତ୍ରି ହେଲେ ସେଠାରେ ଥିବା ଦୋକାନ ବାରଣ୍ଡାରେ ଆଶ୍ରୟ ନେଉଥିଲେ । ବ୍ରାହ୍ମଣ ଲୋକ ତଥା ଜଣେ ମିଷ୍ଟ ଭାଷୀ ଲୋକ ହୋଇଥିବାରୁ ତାଙ୍କୁ ସମସ୍ତେ ଭଲ ପାଉଥିଲେ । ସବୁଦିନ ପରି ଗତକାଲି ମଧ୍ୟ ରାତ୍ରି ଭୋଜନ କରି ସାରିବା ପରେ ସ୍ଥାନୀୟ ଏକ ଦୋକାନ ବାରଣ୍ଡାରେ ଶୋଇଥିଲେ ହେଲେ ସକାଳୁ ଆଉ ସେ ଉଠି ନଥିଲେ । ସ୍ଥାନୀୟ ଲୋକେ ଦେଖିବା ବେଳକୁ ତାଙ୍କର ପ୍ରାଣବାୟୁ ଆଉ ନଥିଲା । ମୃତ ଖବର ତାଙ୍କର ପରିବାର ଲୋକଙ୍କୁ ଦିଆଯାଇଥିଲେ ମଧ୍ୟ ମୃତ ଅଶୋକଙ୍କ ଶବ ସତ୍କାର କରିବା ପାଇଁ କେହି ଆସି ନଥିଲେ । ପରେ ସୋହେଲା ପୋଲିସର ଅନୁରୋଧ କ୍ରମେ ସଂକଳ୍ପ ପରିବାରର ସଦସ୍ୟ ଆକାଶ ପଣ୍ଡା, ନିଧାନ ଦନ୍ତା, ସନ୍ଦୀପ ସେଠ ଓ ବିକାଶ ଅଗ୍ରୱାଲ ଘଟଣା ସ୍ଥଳକୁ ପହଞ୍ଚି ସଂକଳ୍ପ ରଥ ସାହାଯ୍ୟରେ ମୃତ ଶବ ବୋହିନେଇ ଗର୍ଭନା ସ୍ଥିତ ଶ୍ମଶାନରେ ସସମ୍ମାନେ ଶବ ସତ୍କାର କରିଥିଲେ । ଏଥିରେ ସ୍ଥାନୀୟ ବ୍ୟବସାୟୀ ଆଚାର୍ଯ୍ୟ ବାବୁ ସମେତ କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.