
- ଅଗଣିତ ଛାତ୍ରଛାତ୍ରୀ ଓ କର୍ମଚାରୀ ମହଲରେ ଶୋକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସୋନପୁର କଲେଜର ପ୍ରାକ୍ତନ କର୍ମଚାରୀ ତଥା ରାତ୍ର ଜଗୁଆଳି ଶ୍ରୀ ନବୀନ ସିନ୍ଧିରିଆ (୮୪) ବର୍ଷଙ୍କ ନିଜ କଳିଙ୍ଗ ନଗର ସ୍ଥିତ ବାସ ଭବନ ଠାରେ ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ସୋନପୁର ସହର, ସୋନପୁର କଲେଜର ଲକ୍ଷାଧିକ ଛାତ୍ରଛାତ୍ରୀ, ଅଭିଭାବକ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ, ସୋନପୁର କଲେଜର ଆଲୁମିନୀ ଏସୋସିଏସନ୍ ମହଲରେ ଶୋକର ଛାୟା ଖେଳିଯାଇଛି । ଗତକାଲି ସ୍ଵର୍ଗତ ନବୀନ ସିନ୍ଧିରିଆଙ୍କ ଅମର ଆତ୍ମାର ଶାନ୍ତି ସଦ୍ଗତି ନିମନ୍ତେ ସୋନପୁର କଲେଜ ଠାରେ ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭାର ଅୟୋଜନ କାରାଯାଇ ତାଙ୍କ ସ୍ମୁତି ଚାରଣ କରାଯାଇଥିବା ବେଳେ ଶ୍ରୀ ସିନ୍ଧିରିଆଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାତ୍ର ଜଗୁଆଳି ଶ୍ରୀ ସିନ୍ଧିରିଆ ଜଣେ ଶାନ୍ତ ସରଳ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ଦୀର୍ଘ ୫୦ ବର୍ଷର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିନା ସୁରକ୍ଷା ବାଡ଼ ସତ୍ତ୍ୱେ କେବେ ଏହି ସର୍ବ ପୁରାତନ କଲେଜରେ କୌଣସି ଜିନିଷ ଚୋରି ହୋଇନଥିବା ଜଣାଯାଇଛି । ତାଙ୍କ ଚେହେରାକୁ ଦେଖିଲେ ଲୋକେ ଖୁବ୍ ଭୟ କରୁଥିଲେ କିନ୍ତୁ ସେ ଖୁବ୍ ସ୍ନେହ ଆଦର ସଚ୍ଚୋଟ ନିଷ୍ଠା ଶୃଂଖଳାର ସହ ଉତ୍ସର୍ଗୀକୃତ ସେବା ପ୍ରଦାନ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ସମସ୍ତଙ୍କ ସହିତ ସୁସମ୍ପର୍କ ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଆସିଥିବାରୁ ତାଙ୍କୁ ଯୁଗେ ଯୁଗେ ଏହି କଲେଜ ଓ ଅଗଣିତ କର୍ମଚାରୀ ଛାତ୍ରଛାତ୍ରୀ ଝୁରିବେ ବୋଲି ଶୋକ ସଭାରେ ବକ୍ତାମାନେ ମତ ରଖିଥିଲେ ।