ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ଥାନା କୋନାବିରା ପଂଚାୟତ ପାଣ୍ଡେଲବାହାଲି ଗାଁରେ ପରକୀୟା ପ୍ରୀତିରୁ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗାଁର ଈଶ୍ୱର ନାଏକ । ହତ୍ୟାକାରୀଙ୍କୁ ଗିରଫ ଦାବିରେ ଗତ ସନ୍ଧ୍ୟାରେ ମୃତକଙ୍କ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଗତ ୨୫ ତାରିଖରେ ପାଣ୍ଡେଲବାହାଲି ଗାଁର ଈଶ୍ୱର ନାଏକଙ୍କୁ ପରକୀୟା ପ୍ରୀତିକୁ କେନ୍ଦ୍ର କରି ୪ ରୁ ୫ ଜଣ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋମନା ସିଏଚ୍‌ସିରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରେ ଖଡ଼ିଆଳ ମିଶନ ହସ୍ପିଟାଲ ଓ ଏହାପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଈଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ଓ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଈଶ୍ୱରଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଈଶ୍ୱରଙ୍କ ଚିକିତ୍ସାରେ ବ୍ୟସ୍ତ ଥିବାରୁ ଥାନାରେ ଲିଖିତ ଅଭିଯୋଗ କରି ନଥିଲେ । ମୃତକଙ୍କ ସ୍ତ୍ରୀ କଲ୍ୟାଣୀ ନାଏକ ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଈଶ୍ୱରଙ୍କ ମୃତଦେହ ଗାଁରେ ପହଂଚିବା ପରେ ପରିବାର ଓ ଗାଁ ଲୋକେ ବିଲେନଯୋର ଛକରେ ଏନଏଚ୍‌ ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଏବଂ ଈଶ୍ୱରଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ । ଖବର ପାଇ ନୂଆପଡ଼ା ଏସ୍‌ଡିପିଓ ଆଦିତ୍ୟ ସେନ, କୋମନା ତହସିଲଦାର ମନୋରଞ୍ଜନ କେର୍କେଟା ଓ ବିଡିଓ ହିତାଂଶୁ ଶେଖର ସାମଲ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ କୋମନା ବ୍ଳକ ପ୍ରଶାସନ ତରଫରୁ ୨୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ହତ୍ୟାକାରୀକୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ଓହରିଥିଲେ । ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା ।

Leave A Reply

Your email address will not be published.