
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥନୈତିକର ବିକାଶ ଓ ପ୍ରସାର ନିମନ୍ତେ ବୃହତ୍ତମ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏବଂ ଦକ୍ଷିଣ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା । ଏ ନେଇ ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସମିଟ ଜରିଆରେ ସୂଚାଇଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଚଳିତ ଡିସେମ୍ବର ମାସ ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସଫ-ଫେଷ୍ଟ ତଥା ପଲ୍ଲୀଶ୍ରୀ ମେଳା ଛତ୍ରପୁର ମୁଖ୍ୟ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ସହିତ ବ୍ରହ୍ମପୁର ସ୍ଥିତ ଖଲିକୋଟ କଲେଜ ଷ୍ଟାଡିୟମଠାରେ ୨୦ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ଓ ଗ୍ରାମାଞ୍ଚଳରେ ପ୍ରଚଳିତ ଉନ୍ନତ କୃଷିର ରୂପାନ୍ତର (ତାରା) ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ବିବିଧ ସୂଚନା ପ୍ରଦାନ କରି କହିଥିଲେ ଯେ, କରୋନା ସମୟରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ (ଏସ.ଏଚ.ଜି ଗୃପ) ବହୁ ପରିଶ୍ରମ କରି ନିଜ ହସ୍ତରେ ଅନେକ କଳାକୃତୀ ଠାରୁ ଆରମ୍ଭ କରି ଘରୋଇ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରି ସାଇତି ରଖିଛନ୍ତି । ଯାହାର ବିକ୍ରିବଟା ନିମନ୍ତେ ପଲ୍ଲିଶ୍ରୀ ମେଳା ହିଁ ଏକ ମାତ୍ର ସହାୟକ ହେବ । ଦ୍ୱିତୀୟତଃ ଏହି ମେଳାରେ ପ୍ରଦର୍ଶିତ ସାମଗ୍ରୀ ଗୁଡିକର ମେଳାରେ ପ୍ରଦର୍ଶନ କରିବା ଦ୍ୱାରା ଅର୍ଥନୈତିକର ବିକାଶ ଓ ପ୍ରଚାର ପ୍ରସାର ହେବା ସାଂଗକୁ ବହୁଳ ଭାବେ ଜନାଦୃତ ହେବ ଏବଂ ଲୋକମାନଙ୍କ ଦେଖିବା ସହିତ କିଣି ନେଇପାରିବେ । ତା’ସାଂଗକୁ ପ୍ରତିଦିନ ସନ୍ଧ୍ୟାରେ ମେଳା ପସରା ସ୍ଥଳରେ ଆୟୋଜିତ ସାଂସ୍କୃତିକ ମଣ୍ଡପରେ ଲୋକ ସଙ୍ଗୀତ, ଲୋକ ନୃତ୍ୟ, ଓଡିଶୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଦି ପରିବେଷଣ ହେବ ବୋଲି କୁହାଯାଇଛି । କଳାକାର ଗଣ ସେମାନଙ୍କ କଳାର ପ୍ରଦର୍ଶନ କରିବେ । କଳାପ୍ରେମୀ ଦର୍ଶକଙ୍କ ସକାଶେ ଏହା ମନୋରଞ୍ଜନର ଏକ ମାଧ୍ୟମ ହେବ । ଓରମାସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏବଂ ଜିଲ୍ଲା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଏହି ମେଳାରେ ଆୟୋଜନ ହେଉଅଛି । ବିଶେଷତଃ ମିଶନଶକ୍ତିର ପ୍ରୋତ୍ସାହନାରେ ଏସେଚଜି ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ, ଯଥା ହସ୍ତକଳା, ଖାଦ୍ୟରୁଚି, ଆଚାର, ପାମ୍ପଡ଼, ବଡ଼ି, ଧୂପକାଠି, ମହମବତୀ, ବିଭିନ୍ନ ପ୍ରକାର ମସଲା, ବିକ୍ରିବଟା ସକାଶେ ଉତ୍ତମ ହାଟର ବ୍ୟବସ୍ଥା ହେଉଅଛି । ଗଞ୍ଜାମ ହାଟ ମାଧ୍ୟମରେ ମହିଳା ସ୍ୱଂୟ ସାହାୟିକା ଗୋଷ୍ଠୀ ଏବଂ ଜିଲ୍ଲା ଓ ଜିଲ୍ଲା ବାହାରର କାରିଗରମାନେ ସେମାନଙ୍କର କୁଶଳୀ ଶ୍ରମରେ ଉତ୍ପାଦନର ବସ୍ତୁଗୁଡିକର ବିକ୍ରୟ ଏବଂ ପ୍ରଦର୍ଶନ କରାଯିବ । ପ୍ରଦର୍ଶନୀରେ ପରିଦର୍ଶକମାନଙ୍କୁ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ, କାରିଗରଗଣ ସେମାନଙ୍କର ବିଚକ୍ଷଣ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ୫୦ ଗୋଟି ଷ୍ଟଲରେ ବିକ୍ରି କରିବା ସହିତ ସେମାନେ ଉପଭୋକ୍ତାମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ ଏବଂ ଗ୍ରାହକମାନଙ୍କର ପସନ୍ଦ ଓ ଅପସନ୍ଦ ଜାଣିବାର ସୁଯୋଗ ପାଇବେ । ବିକ୍ରିବଟା ହେବା ଫଳରେ ଆର୍ଥିକ ସଶକ୍ତିକରଣକୁ ମଜବୁତ କରିହେବ । ଏହି ମେଳାରେ ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ଐତିହ୍ୟ ବିଦ୍ଭବର ପରିପ୍ରକାଶ ସହ ମେଳାରେ ବିବିଧ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଛତ୍ରପୁରଠାରେ ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା, ଆଶୁତୋଷ ମହାନ୍ତି, ସତ୍ୟଜିତ୍ ପ୍ରଧାନ ଏବଂ ୧୯ ତାରିଖ ଦିନ ଇଣ୍ଡିଆନ ଆଇଡଲ ବିଜେତା ସୁନାମଧନ୍ୟ କଣ୍ଠଶିଳ୍ପୀ ସଲମନ ଅଲି ସେମାନଙ୍କର କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତା’ ସହିତ ସ୍ଥାନୀୟ କଳାକାରଗଣ ମଧ୍ୟ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ବ୍ରହ୍ମପୁରଠାରେ ଚଳିତ ଡିସେମ୍ବରମାସ ୨୦ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମେଳାରେ ପିତ୍ତଳମାଛ, ଷ୍ଟୋ- କ୍ରାଫ୍ଟ୍, ବିଭିନ୍ନ ଫୋଟଚିତ୍ର, କାଷ୍ଠ-ଶୀଳ୍ପ, ହେଣ୍ଡଲୁମ୍, ଖାଦ୍ୟ-ପ୍ରକ୍ରିୟାକରଣ, ଧୂପକାଠି ତିଆରି ଉପରେ ଜୀବନ୍ତ ପ୍ରକ୍ରିୟାକରଣ ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପିତ ହେବ । ମହିଳା- ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା କର୍ମଶାଳା, ଉତ୍ପାଦକ ଗୋଷ୍ଠୀ କାରିଗରମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବ । ଓଡିଶାର ବିଭିନ୍ନ ଜିଲ୍ଲାର ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ଅଂଶ ଗ୍ରହଣ କରିବେ ଏବଂ ସେମାନଙ୍କ ଉତ୍ପାଦ ସାମଗ୍ରୀ ବିକ୍ରୟ କରିବେ । କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପ୍ରାଣୀ ଚିକିତ୍ସା, ମିଶନଶକ୍ତି ଦ୍ୱାରା ପ୍ରୋତ୍ସାହିତ ଏସ୍ଏଚ୍ଜିଗୁଡିକ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ । ଗଞ୍ଜାମ ହାଟ ମାର୍କେଟିଂ ସୋସାଇଟିର ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ସ୍ଥାନୀୟ ଲୋକକଳା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜିତ ହେବ । କୋଭିଡ କଟକଣା ଅନୁପାଳନ ପୂର୍ବକ କରାଯାଇ ଉଭୟ ମେଳା ଅନୁଷ୍ଠିତ ହେବ । ଏହା ସହିତ ଟୀକାକରଣରୁ ବଞ୍ଚିତ ବ୍ୟକ୍ତିଗଣଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ । ଗଞ୍ଜାମ ଜିଲ୍ଲାର ସମସ୍ତ ଜନସାଧାରଣ ଦୁଇ ଗୋଟି ଟୀକା ଗ୍ରହଣ କରି କୋଭିଡ ଦାଉରୁ ନିଜକୁ ସୁରକ୍ଷିତ କରିବା ନିମନ୍ତେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରି ଏହାର ସୁଯୋଗ ନେବାକୁ କହିଛନ୍ତି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରା, ଓରମାସର ସିଇଓ ଡଃ. ଜ୍ୟୋତି ପ୍ରକାଶ ମହାନ୍ତି, ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୱାଶତ କୁମାର ସାହୁ, ଉଦ୍ୟାନ ବିଭାଗ ଜିଲ୍ଲା ଅଧିକାରୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।