pakka

ଆଧୁନିକ କଳାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ୍ କଲୋନୀ ସରକାରୀ ୟୁ.ପି ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଳାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କଳାଶିଳ୍ପୀଙ୍କ କାଳଜୟୀ ସୃଷ୍ଟି ଓ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ କହିଥିଲେ ଯେ, ସୁରେନ୍ଦ୍ର ମହାନ୍ତି ଓଡିଆ ସାହିତ୍ୟ ଜଗତର ଜଣେ ଅପ୍ରତିଦ୍ଵନ୍ଦୀ କଥାକାର, ଔପନ୍ୟାସିକ, ସୁଦକ୍ଷ ସଂପାଦକ, ସମାଲୋଚକ ଥିଲେ । ତାଙ୍କ ସୃଷ୍ଟିରେ ମାଟି ମଣିଷର କଥା, ଓଡିଶାର ସାହିତ୍ୟ, ସଂସ୍କୃତି, ପରମ୍ପରାର ଚିତ୍ର ବେଶ ସୁନ୍ଦର ଭାବେ ଚିତ୍ରିତ ହୋଇଛି । ଯାହା ତାଙ୍କୁ ଯଶସ୍ୱୀ କରିଛି । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଥିଲେ ଯେ, କଥାକାର ସୁରେନ୍ଦ୍ର ମହାନ୍ତି ନିରୋଳା ଗଦ୍ୟ ସୃଷ୍ଟି କରି ଓଡିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ୱାକ୍ଷର ଛାଡିଯାଇଛନ୍ତି । ଓଡିଆ କ୍ଷୁଦ୍ରଗଳ୍ପ ତାଙ୍କ ହାତ ସ୍ପର୍ଶରେ ପାଇଛି ଅଭିନବ ମର୍ଯ୍ୟାଦା । ସମାଲୋଚନା କ୍ଷେତ୍ର ପାଇଛି ନୂତନ ଦିଗଦର୍ଶନ । ଉପନ୍ୟାସ, ପ୍ରବନ୍ଧରେ ଆମେ ଦେଖୁ ବିଶାଳତାର ଛାପ । ଯାହା ତାଙ୍କୁ ଓଡିଶାର ଜନସାଧାରଣଙ୍କ ପାଖରେ ଯଶସ୍ୱୀ କରିରଖିଛି । ସଭାପତି ଶ୍ରୀ ଦୁବେ ଅତିଥିଙ୍କ ପରିଚୟ ସହ ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଯୋଗଜନ୍ମା ସୁରେନ୍ଦ୍ର ମହାନ୍ତି ଓଡିଆ କଥା ସାହିତ୍ୟର ଅନନ୍ୟ ସାଧକ । ସେ ନାଟକ, ଗଳ୍ପ, ଉପନ୍ୟାସ ଓ ଜୀବନ ଚରିତ୍ର ରଚନା କରି ନିଜ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷୟିତ୍ରୀ ବୀଣାପାଣି ରାୟ, ନିବେଦିତା ମହାନ୍ତି ଓ କ୍ଷଣପ୍ରଭା ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀମତୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

8 − eight =