jayashree

ନୃସିଂହନାଥ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ଠାରେ ୬୯ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସ୍ଥିତ ନୃସିଂହନାଥ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ପରିସରରେ ୬୯ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ସ୍କୁଲର ଛାତ୍ରଛାତ୍ରୀମାନେ ସକାଳ ସମୟରେ ଜର୍ଜଗଡ ଗ୍ରାମରେ ଶୋଭାଯାତ୍ରା କରି ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ଦିଗରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ । ପରେ ଏନେଇ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରକୃତି ବନ୍ଧୁ ବଡ଼ ଶତପଥୀ, ବିଭୂତି ଭୂଷଣ ମୁଣ୍ଡ, ନନ୍ଦଳାଲ ନାୟକ, ଗୋକୁଳାନନ୍ଦ ଦଣ୍ଡସେନା ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇଥିଲେ । ପ୍ରକୃତିବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ବନ୍ୟଜନ୍ତୁର ସଂଗ୍ରକ୍ଷଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ଓ ପରିବେଶ ତଥା ବନ୍ୟଜୀବ ସହ ମଣିଷର ସୁସମ୍ପର୍କ ଜୀବଜଗତକୁ ସମୃଦ୍ଧ କରିବା ଉପରେ ବହୁତ ସୁନ୍ଦର ଭାବରେ ଆଲୋକପାତ କରିଥିଲେ । ବାସସ୍ଥଳୀ ଗୁଡିକୁ ଯୋଡ଼ିବା, ବନ୍ୟଜନ୍ତୁକୁ ସଂବୃଦ୍ଧ କରିବା ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା । ଏଥିରେ ବନବିଭାଗର ସମସ୍ତ କର୍ମଚାରୀ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଯୋଗଦେଇ ଥିବାବେଳେ ବନପାଳ ରମେଶ ପ୍ରଧାନ ସମସ୍ତ ପରିଚାଳନା ଦାୟିତ୍ୱ ନେଇଥିଲେ । ଶେଷରେ ସହ ଶିକ୍ଷକ ବିଜୟ ଶଙ୍କର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.