jayashree

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ୨୦୨୬ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ଆଦର୍ଶ ତଥା ଲାଲବାହାଦୁର ଶାସ୍ତ୍ରୀଙ୍କ ସରଳତା, ଦେଶପ୍ରେମ ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଶ୍ରୀମତୀ ମାନସୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ନାୟକ ଉପସ୍ଥିତ ଛାତ୍ରୀମାନଙ୍କୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନ, ଆଦର୍ଶ ଓ ଦେଶ ପାଇଁ ଅବଦାନ ଉପରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପରିଷ୍କାର ଓ ପରିଚ୍ଛନ୍ନ କରିଥିଲେ । ଛାତ୍ରୀ ସୋନାକ୍ଷୀ ଠାକୁର ଓ ସୁଚିସ୍ମିତା କୁମାର ମଞ୍ଚ ପରିଚାଳନା କରିଥିଲେ ଓ ଶିକ୍ଷକ ସୁଶାନ୍ତ କୁମାର ମେହେର ଧନ୍ୟବାଦ ଅର୍ପଣ କରିବା ସହ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶକୁ ନିଜ ଜୀବନରେ ପ୍ରୟୋଗ କରି ଏକ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଦେଶପ୍ରେମୀ ସମାଜ ଗଠନ କରିବାର ସଂକଳ୍ପ ସହ ‘ଏକ ପେଡ୍ ମା’ କେ ନାମ’ ଅନୁସାରେ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇ କାର୍ଯ୍ୟକ୍ରମ ସମାପିତ ହୋଇଥିଲା ।

Leave A Reply

Your email address will not be published.