
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ କଳିଙ୍ଗବିହାର ଟିସ୍କୋ କଲୋନୀସ୍ଥିତ ସୁନାଫୁଲ ସାହିତ୍ୟ ସଂସଦ ଗୃହ ପରିସରରେ କ୍ରାନ୍ତି ଦିବସ ପାଳନ ଓ କାର୍ଯ୍ୟକାରିଣୀ ବୈଠକ ସଂସଦର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି ସ୍ୱାଗତ ପ୍ରଦାନ ପୂର୍ବକ ଆଜିର ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରି କହିଥିଲେ ଯେ, ସୁନାଫୁଲ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୨୭ ତାରିଖ ଗହ୍ମା ପୂର୍ଣ୍ଣିମା ଦିନ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଓ ଶିଶୁ ମହୋତ୍ସବ କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାକାର କରିବେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟସଭ୍ୟା ସହଯୋଗ କରିବାକୁ ସେ ନିବେଦନ କରିଥିଲେ । କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ କ୍ରାନ୍ତି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଯେ, ଆଜିର ଦିନରେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଇଂରେଜମାନଙ୍କ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ କରାଯାଇଥିଲା । ଆମ ଭାରତୀୟ ମାନେ ‘କର ଅବା ମର ‘ ନୀତିରେ ସ୍ୱାଧୀନତା ପାଇଁ ଲଢେଇରେ ସାମିଲ ହୋଇଥିଲେ । ସୁନାଫୁଲ ସାହିତ୍ୟ ସଂସଦ ଶିଶୁ କିଶୋରମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟ କରିଆସୁଛି । ସେ ଏହି ଅବସରରେ ଶିଶୁ ସାହିତ୍ୟ ମହୋତ୍ସବକୁ ଉତ୍ସାହର ସହିତ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢ଼ୀ ସୁନାଫୁଲ ସାହିତ୍ୟ ଘରର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ପ୍ରସ୍ତାବ ଦେବା ସହ ଟିକିଟିକି ସୁନାଫୁଲ ପତ୍ରିକା ପାଇଁ ଲେଖା ଆହ୍ୱାନ କରିଥିଲେ । ସଭାପତି ମହେନ୍ଦ୍ର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମାଜ ପାଇଁ ସେବା କରିବାକୁ ଆମମାନଙ୍କର ଇଚ୍ଛା ଶକ୍ତି ହିଁ ସଫଳତାର ରାସ୍ତା ଦେଖାଉଛି । ମାତୃଭୂମି ଓ ମାତୃଭାଷା ପାଇଁ ସୁନାଫୁଲ ସାହିତ୍ୟ ସଂସଦର ସଭ୍ୟସଭ୍ୟାମାନଙ୍କର ତ୍ୟାଗ ଅତୁଳନୀୟ । ସଂସ୍କୃତି ସଭ୍ୟା ନିରୁପମା ପତି ଧନ୍ୟବାଦ ପ୍ରଦାନ କରିଥିବାବେଳେ, ରଶ୍ମି ବେହେରା, ସୂର୍ଯ୍ୟମଣି ପଣ୍ଡା, ଏସ. ଏନ. ସ୍ୱାଇଁ. ପ୍ରମୋଦ କୁମାର ପାତ୍ର, ହୃଷିକେଶ ମୁଦୁଲି, ତ୍ରିଲୋଚନ ପାଢ଼ୀ ପ୍ରମୁଖ ବହୁ ସଭ୍ୟସଭ୍ୟା ଯୋଗଦାନ କରିଥିଲେ ।