pakka

ମଦନପୁର-ରାମପୁରକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ବ୍ୟବସାୟିକ ସଂଘର ବନ୍ଦ ପାଳନ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ପ୍ରାୟ ୩୦ ବର୍ଷ ଧରି ଆନ୍ଦୋଳନ ଚାଲିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମାଳ ମାଳ ଯୋଜନା ସବୁ ଘୋଷଣା କରୁଛନ୍ତି । ସରକାର ଦୁଇ ଦିନ ତଳେ ୩୫ ଗୋଟି ବିଜ୍ଞପିତ ପରିଷଦ ଘୋଷଣା କରିଛନ୍ତି । କିନ୍ତୁ ଏଥିରୁ ମ.ରାମପୁର ବାଦ୍ ପଡ଼ିଛି । ଏହି ଖବର ପ୍ରଚାରିତ ହେବା ପରେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଅଞ୍ଚଳବାସୀ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଥିଲା । ସେତେବେଳେ ସେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି ଦାବିକୁ ଆଜି ୩୦ ବର୍ଷ ହୋଇଗଲାଣି । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ଦାବି ଏବଂ ଆନ୍ଦୋଳନ ହୋଇ ଆସୁଛି । ତଥାପି ସରକାର କର୍ଣ୍ଣପାତ କରୁନାହାନ୍ତି । ଏବେ ଅଞ୍ଚଳବାସୀ ଖୁବ୍ ଆଶା ରଖିଥିଲେ ସରକାର ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ କି ବିଜ୍ଞାପିତ ପରିଷଦ ଘୋଷଣା କରିବେ ବୋଲି । କିନ୍ତୁ ଘୋଷିତ ତାଲିକାରେ ମ.ରାମପୁର ବାଦ୍ ପଡ଼ିବାରୁ ସାଧାରଣ ଜନତାଙ୍କୁ ନିରାଶ କରିଛି । ଏଥି ଯୋଗୁଁ ସରକାରଙ୍କ ବିରୋଧରେ ଅସନ୍ତୋଷ ଦାନା ବାନ୍ଧୁଛି । ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ସରକାରଙ୍କ ବିରୋଧରେ ଯିବ ବୋଲି ଚର୍ଚ୍ଚା ହେଉଛି । ଆଜି ମ.ରାମପୁର ବ୍ୟବସାୟିକ ସଂଘର ଆହ୍ଵାନରେ ମ.ରାମପୁର ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ସକାଳ ୬ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରହି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା । ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ସବ୍ୟସାଚୀ ବେହେରାଙ୍କୁ ପ୍ରଦାନ କରାଯାଇଛି । ଏହି ବନ୍ଦ ପାଳନର ନେତୃତ୍ୱ ବ୍ୟବସାୟିକ ସଂଘର ସମ୍ପାଦକ ପ୍ରଶାନ୍ତ ସାମନ୍ତରା ନେଇଥିବା ବେଳେ ଏଥିରେ ସଂଘର ସଦସ୍ୟ ପପୁ ଅଗ୍ରୱାଲ, ନବୀନ ଅଗ୍ରୱାଲ, ଦୀନେଶ ଜୈନଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । ଏଥିରେ ବରିଷ୍ଠ ନାଗରିକ ଚମରା ବଗର୍ତ୍ତି, ବରିଷ୍ଠ ଆଇନଜୀବୀ ସତ୍ୟଜିତ ଚାଟାର୍ଜୀ, ପୂର୍ବତନ ସରପଂଚ ବିଭୁତି ଭୁଷଣ ମହାଖୁଡ, ପୂର୍ବତନ ସରପଂଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ସାମିଲ ରହିଥିଲେ ।

Leave A Reply

Your email address will not be published.

1 × 5 =