ଆଜିଠୁ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । କରୋନା କଟକଣାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟରେ ୨୮ ସହରରେ ୩୮ଟି କେନ୍ଦ୍ର କରାଯାଇଥିବା ବେଳେ ୩, ୪ ଏବଂ ୭ ତାରିଖରେ ପରୀକ୍ଷା ହେବ । ୪ଟି ସିଫ୍ଟରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ପଦ୍ଧତିରେ ପରୀକ୍ଷା କରାଯିବ । ଏମ୍‌ବିଏ, ବି.ଟେକ ଏବଂ ବି.ଫାର୍ମା ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ଚଳିତ ବର୍ଷ ୨୮ ହଜାର ୬୨୦ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବ୍‌ସାଇଟ୍‌ରୁ ନିଜର ଆଡ଼ମିଟ କାର୍ଡ ଡାଉନଲୋଡ କରିବାକୁ କୁହାଯାଇଛି । ବିନା ଆଡ଼ମିଟ କାର୍ଡରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରାଇ ଦିଆଯିବ ନାହିଁ । କରୋନା କଟକଣା ପାଇଁ ଯେଉଁ ନିୟମାବଳୀ ରହିଛି ତାକୁ ପାଳନ କରିବାକୁ ହେବ । ପରୀକ୍ଷାର୍ଥୀଙ୍କୁ ମାସ୍କ ପିନ୍ଧି କେନ୍ଦ୍ରକୁ ପ୍ରବେଶ ବାଧ୍ୟତାମୂଳକ କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

8 − 2 =