ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣାଙ୍କ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା, ଆଇଏଏସ୍‌ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କଠାରୁ ଦାୟିତ୍ୱ ନେଇଛନ୍ତି । ଶ୍ରୀ ରାଣା ୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ । ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଭାବେ ଯୋଗଦାନ ପୂର୍ବରୁ ସେ ମୟୁରଭଂଜ ଜିଲ୍ଲାର ପିଡି, ଡିଆର୍‌ଡିଏ, ଗଜପତି ଜିଲ୍ଲାର ପିଡି, ଡିଆର୍‌ଡିଏ, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି, କୁଚିଣ୍ଡାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ସେ ସ୍ଥାନୀୟ ବଲାଙ୍ଗିର କୋଭିଡ୍‌ ହସ୍‌ପିଟାଲ, ଲର୍କିପାଲି ସ୍ଥିତ କରୋନା କେୟାର ସେଣ୍ଟର, ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଏଣ୍ଡ ହସ୍‌ପିଟାଲ୍‌ ସ୍ଥିତ ଆଇସୋଲେସନ୍‌ ସେଣ୍ଟର ପରିଦର୍ଶନ କରି ଏହାର ପରିଚାଳନା ଓ ଆନୁସଂଗିକ ସୁବିଧା ତଥା ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସଂପର୍କରେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌-୧୯ ପରିଚାଳନା ସଂପର୍କିତ ଏକ ବୈଠକରେ ଯୋଗଦେଇ ଜିଲ୍ଲାରେ କୋଭିଡ ପରୀକ୍ଷା, ଆଣ୍ଟିଜେନ୍‌ ଓ ଆର୍‌ଟିପିସିଆର୍‌ ପରୀକ୍ଷାର ସ୍ଥିତି, ରିପୋର୍ଟିଂ, କଣ୍ଟ୍ରାକ୍ଟ ଟ୍ରେସିଂ, ଆଇସୋଲେସନ୍‌ ବ୍ୟବସ୍ଥା ଓ ଏହାର ପରିଚାଳନା ତଥା ତଦାରଖ, ଆମ୍ବୁଲାନ୍ସର ସ୍ଥିତି ଏବଂ ପରିଚାଳନା, ପ୍ଲାଜମା ଦାନ ସଂପର୍କିତ ତଥ୍ୟ ଇତ୍ୟାଦି ସଂପର୍କରେ କୋଭିଡ-୧୯ ପରିଚାଳନାର ବିଭିନ୍ନ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ, ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ସିଡ଼ିଏମ୍‌ଓ ଡା. ଭୀମ ସାହୁ, ଭୀମ ଭୋଇ ମେଡ଼ିକାଲ କଲେଜ ଏଣ୍ଡ ହସ୍‌ପିଟାଲ୍‌ର ଡିନ୍‌ ତଥା ଅଧ୍ୟକ୍ଷ ଡା. ସବିତା ମହାପାତ୍ର, ଅଧୀକ୍ଷକ ଡା.ମହେନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ।

Leave A Reply

Your email address will not be published.