pakka

ଏବିସିଡିର ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ – ୨୦୨୨ ଆୟୋଜିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧ ତାରିଖ ସନ୍ଧ୍ୟାରେ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗମଞ୍ଚରେ ପଦ୍ମପୁର ଏବିସିଡି ଅନୁଷ୍ଠାନ ଆନୁକୂଲ୍ୟରେ ଚବିଶ ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ – ୨୦୨୨ ମହାସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଝାଙ୍କର ସୁରେଶ ଡୁଡକା ମା’ ସମଲେଇଙ୍କ ନିକଟରେ ନୂଆଁଚୁଡା ଭୋଗ ଲଗାଇ ଏକ ଭକ୍ତିମୟ ପରିବେଶ ଭିତରେ ପୂଜାର୍ଚ୍ଚନା କରିଥିଲେ । ସୁରେନ୍ଦ୍ର ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଜିତା ଦାସ, ବାସନ୍ତୀ ସାହୁଙ୍କ କଣ୍ଠରେ ପ୍ରାରମ୍ଭିକ ସଙ୍ଗୀତ ମନମୁଗ୍ଧ କରିଥିଲା । ଅନୁଷ୍ଠାନର ସଭାପତି ଅନିଲ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ରଘୁନାଥ ପୁରୀ ବିବରଣୀ ପଠନ କରିଥିଲେ । ପରେ ପ୍ରଫେସର କେଶରଞ୍ଜନ ପ୍ରଧାନ, ଅଶୋକ କୁମାର ବହିଦାର, ଅଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ନୂଆଁଖାଇ ଉପରେ ତାଙ୍କର ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଯୁବରାଜ ସା ବ୍ୟଙ୍ଗ କବିତା ପଠନ କରିଥିଲେ । ପଦ୍ମପୁର ଚନ୍ଦ୍ରାବତୀ ଏମ୍‌ଇ ସ୍କୁଲ, ପଦ୍ମପୁର ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନଙ୍କ ସମେତ ଭୁବନେଶ୍ଵର ଦଶା ବଢାଇ ଅନୁଷ୍ଠାନ, ଅନୁରାଧା ଅନୁଷ୍ଠାନ, ବଲାଙ୍ଗିରର ଢୋଲ ମୁହୁରୀ ଅନୁଷ୍ଠାନ ଓ ସଙ୍ଗୀତ ସମିତି ପଦ୍ମପୁରର କଳାକାର ମାନେ ଓଡିଶୀ ଗୋଟିଏ ପୁଅ, ସମ୍ବଲପୁରୀ ଓ ଆଦିବାସୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନମୋହି ନେଇଥିଲେ । ଏଥିରେ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ନୂଆଁଖାଇ ଭେଟ୍‌ଘାଟ୍‌ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟର ଏକ ଗୀତ ଗାଇଲେ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ । ଅନ୍ୟତମ ଅତିଥି ନୂଆପଡା ଜିଲ୍ଲା ଡେପୁଟି କଲେକ୍ଟର ମହେନ୍ଦ୍ର ବଢେଇ, ପ୍ରଫେସର ପତିତପାବନ ସାହୁ, ସମାଜସେବୀ ନିରୋଜ ଦୋରା, ବରିଷ୍ଠ ଆଇନଜୀବୀ ଗୌନ୍ତିଆ ସାହୁ, ଡଃ ବିରଞ୍ଚି ସାହୁଙ୍କ ସମେତ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ତରଫରୁ ନୂଆଁଖାଇ ଜୁହାର ପ୍ରଦାନ କରିଥିଲେ । ଚଳିତ ବର୍ଷ ସ୍ୱର୍ଗତ ଅରବିନ୍ଦ ସାହୁ ସ୍ମୃତି ସମ୍ମାନରେ ଚାଷୀ ଭୁବନେଶ୍ୱର ମେହେର ଓ ଭାସ୍କର୍ଯ୍ୟ ଶିଳ୍ପୀ ଅର୍ଜୁନ ଗିଙ୍ଗିରାଙ୍କୁ ଶିଳ୍ପୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ପଦ୍ମପୁର ପୋଲିସ ବିଭାଗ ପକ୍ଷରୁ ଉପସ୍ଥିତ ଦର୍ଶକମାନଙ୍କୁ କ୍ଷୀରି ବଣ୍ଟନ କରାଯାଇଥିଲା । ଆକର୍ଷଣୀୟ ମଞ୍ଚସଜ୍ଜା କରିଥିଲେ ରମେଶ ଗୁର୍ଲା, ଗିରିଧାରୀ ସାହୁ, ଆଶିଷ ବୈକାର ଓ ସଙ୍ଗୀତର ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ ଥିଲେ ନବୀନ ବାଗ, ଅନ୍ତର୍ଯ୍ୟାମୀ ମେହେର, ନସିବ ଗୁର୍ଲା, ସୁରୁ ସାହୁ ପ୍ରମୁଖ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ସମଗ୍ର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଅନୁଷ୍ଠାନ ବରିଷ୍ଠ ସଭ୍ୟ ତଥା ଆଇନଜୀବୀ ସମ୍ପଦ ସାହୁ, ସୁରେଶ ମିଶ୍ର, ସହଦେବ ମେହେର, ସୁମନ୍ତ ସାହୁ, ଶାନ୍ତି ପୁରୋହିତ, ବିପିନ ବାଗ, ରବୀନ୍ଦ୍ର ମୋହନ ଦାସ, ପ୍ରତାପ ନାଥ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଶେଷରେ ଇନ୍ଦ୍ରଜିତ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × 2 =