jayashree

ତିଖାଲି ନିମ୍ନ ଇନ୍ଦ୍ର ପ୍ରକଳ୍ପରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ନୂଆପଡ଼ା, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିବା ସୂଚନା ମିଳିଛି । ରିଜର୍ଭର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ଗେଟ ଖୋଲାଯାଇଛି । ସୂଚନା ଯୋଗ୍ୟ ଯେ, ତିଖାଲି ଜଳସେଚନ ପ୍ରକଳ୍ପର ମୋଟ ଜଳ ଧାରଣ କ୍ଷମତା ୨୬୫ମିଟର ରହିଥିବା ବେଳେ ସୋମବାର ପର୍ଯ୍ୟନ୍ତ ଜଳସ୍ତର ୨୬୩.୫୫ ମିଟରକୁ ଛୁଇଁସାରିଛି । ଗତ ବର୍ଷ ଏହି ସମୟରେ ଜଳସ୍ତର ୨୬୩ ମିଟର ଥିଲା । ବର୍ତ୍ତମାନ ରିଜର୍ଭରକୁ ପ୍ରତି ସେକେଣ୍ଡରେ ୬୧ ଘନପୁଟ ଜଳ ପ୍ରବେଶ କରୁଥିବାବେଳେ ଅଧିକ ଜଳ ଚାପକୁ ନିୟନ୍ତ୍ରଣ କରିବା ପାଇଁ ୫ଟି ଗେଟ ମଧ୍ୟରୁ ଗୋଟିଏ ଖୋଲାଯାଇଛି । ଏହି ଗେଟ ମାଧ୍ୟମରେ ପ୍ରତି ସେକେଣ୍ଡରେ ୬୭ ଘନପୁଟ ଜଳ ନିଷ୍କାସିତ ହେଉଛି ବୋଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ ପ୍ରକାଶ କରିଛନ୍ତି । ଏହାକୁ ଦେଖଥିବା ପାଇଁ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇଥିଲେ । ପ୍ରକଳ୍ପରୁ ଜଳ ନିଷ୍କାସନ ହେବା ପରେ ତଳି ଅଞ୍ଚଳରେ ସତର୍କତା ଜାରି କରାଯାଇଛି । ଅଧିକ ବର୍ଷା ହେଲେ ଆଉ ଗେଟ ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.