
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଜଣେ ଯୁବକ ଘରକୁ ଫେରିବା ପରେ ସ୍ତ୍ରୀ ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଥିବା ଅଭିଯୋଗ କରି କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଯାମୁଟଯୁରୀ ଗାଁର ଜଗମୋହନ ମାଝି ୨୦୨୦ ମସିହା ଫେବୃଆରୀ ୨୬ ତାରିଖରେ ତୁରେକେଲା ଥାନା ଅନ୍ତର୍ଗତ ସେମଲା ଗାଁର ଦ୍ରୌପଦୀ ମାଝିଙ୍କୁ ସାମାଜିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଜଗମୋହନ ରୋଜଗାର ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ସେଠାରେ କାମ କରି ଅର୍ଜନ କରୁଥିବା ଟଙ୍କା ନିୟମିତ ଭାବେ ଘରକୁ ପଠାଉଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ଅନ୍ୟ ଜଣଙ୍କ ସହ ଘର ଛାଡ଼ି ଫେରାର ହୋଇଯାଇଥିବା ଖବର ପାଇ ସେ ଗାଁକୁ ଫେରିଥିଲେ । ଘରକୁ ଆସି ଦେଖିବା ପରେ ବର୍ଷ ବର୍ଷ ଧରି କଷ୍ଟ କରି ସଞ୍ଚୟ କରିଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ଘରେ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସୋମବାର କଣ୍ଟାବାଞ୍ଜି ଥାନାରେ ସେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ, ଘଟଣାର ତଦନ୍ତ କରି ଟଙ୍କା ଓ ସୁନା ଅଳଙ୍କାର ଫେରାଇ ଦେବା ସହ କ୍ଷତିପୂରଣ ପ୍ରଦାନ କରିବାକୁ ପୋଲିସ ପ୍ରଶାସନଙ୍କ ନିକଟରେ ନିବେଦନ କରିଛନ୍ତି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।