
- ବନ୍ଧୁତ୍ୱର ୨୯ ବର୍ଷ, ସମାଜସେବା ପାଇଁ ସାମୂହିକ ସଂକଳ୍ପ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରୁଣା ସ୍ମୃତିକୁ ସାଉଁଟିବା, ବନ୍ଧୁତ୍ୱର ଅତୁଟ ବନ୍ଧନକୁ ସୁଦୃଢ଼ କରିବା ଏବଂ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲର ୧୯୯୭ ମସିହାର ଦଶମ ଶ୍ରେଣୀ ବ୍ୟାଚ୍ର ଛାତ୍ରମାନଙ୍କ ଏକ ଭବ୍ୟ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି । ଏହି ବ୍ୟାଚ୍ର ୨୫୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଙ୍କ ମଧ୍ୟରୁ ଶତାଧିକ ଛାତ୍ର ଏଥିରେ ଯୋଗଦେଇ ଉତ୍ସାହ ଓ ଆନନ୍ଦର ସହ ମିଳନ ଉତ୍ସବକୁ ଧୁମ୍ଧାମ୍ରେ ପାଳନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ବ୍ୟାଚ୍ର ଛାତ୍ରମାନେ ପ୍ରତିବର୍ଷ ଦଶହରା ମାସରେ ଏକତ୍ରିତ ହୋଇ ବନ୍ଧୁମିଳନ ଆୟୋଜନ କରିଆସୁଛନ୍ତି । ଦୀର୍ଘ ୨୯ ବର୍ଷର ଏହି ଯାତ୍ରାରେ ସମୟ ବଦଳିଛି, ଜୀବନର ଦାୟିତ୍ୱ ବଢ଼ିଛି, କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ଓ ଆତ୍ମୀୟତା ଆଜି ମଧ୍ୟ ଅତୁଟ ରହିଛି । ପ୍ରତିବର୍ଷ ଏହି ମିଳନ ଉତ୍ସବ ପୁରୁଣା ବିଦ୍ୟାଳୟ ଜୀବନର ସ୍ମୃତିକୁ ପୁନର୍ଜୀବିତ କରିବା ସହ ସହପାଠୀମାନଙ୍କ ମଧ୍ୟରେ ସ୍ନେହ, ସହଯୋଗ ଓ ଏକତାର ଭାବନାକୁ ଆହୁରି ମଜଭୁତ କରୁଛି । ଏହି ବନ୍ଧୁମିଳନ କେବଳ ହସଖୁସି ଓ ସ୍ମୃତିଚାରଣରେ ସୀମିତ ନ ରହି ଏକ ମହତ୍ତର ସାମାଜିକ ଉଦ୍ଦେଶ୍ୟକୁ ମଧ୍ୟ ଗୁରୁତ୍ୱ ଦେଇଥିଲା । ଆଗାମୀ ଦିନରେ ବିଭିନ୍ନ ଉନ୍ନତିମୂଳକ ଓ ଜନହିତକର କାର୍ଯ୍ୟ ହାତକୁ ନେବା ସହିତ ସମାଜର ଅସହାୟ ଲୋକଙ୍କ ପାଖରେ ଠିଆ ହେବାକୁ ନେଇ ଉପସ୍ଥିତ ଛାତ୍ରମାନେ ଆଲୋଚନା କରିଥିଲେ । ବିଶେଷକରି ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ସମୟରେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସମ୍ଭବ ମୁତାବକ ସାହାଯ୍ୟର ହାତ ବଢ଼ାଇବା ପାଇଁ ସାମୂହିକ ଭାବେ ମତ ପ୍ରକାଶ ପାଇଥିଲା । ଏହାସହ ଭବିଷ୍ୟତରେ ଏକ ସଂଗଠିତ ମଞ୍ଚ ମାଧ୍ୟମରେ ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସାମଗ୍ରିକ ଭାବେ ଏହି ବନ୍ଧୁମିଳନ ଅତୀତର ସୁନ୍ଦର ସ୍ମୃତିକୁ ମନେ ପକାଇବା ସହ ଭବିଷ୍ୟତରେ ସମାଜ ପାଇଁ କିଛି ଭଲ କାମ କରିବାର ନୂତନ ସଂକଳ୍ପ ନେବାର ଏକ ସୁନ୍ଦର ଅବସର ପାଲଟିଥିଲା । ବନ୍ଧୁତ୍ୱରୁ ସମାଜସେବା ପର୍ଯ୍ୟନ୍ତ ଏହି ଯାତ୍ରା ଅନ୍ୟ ପୁରାତନ ଛାତ୍ର ସଂଗଠନଗୁଡ଼ିକ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇ ରହିବ ।