jayashree

ସହରାୟ ପାରାବ ପାଳନ ପାଇଁ ସେଙ୍ଗେଲ ଅଭିଯାନର ପ୍ରସ୍ତୁତି ବୈଠକ

  • ନଭେମ୍ବର ୧୪ରେ ବାରିପଦାରେ ହେବ ଭବ୍ୟ ଜାଜଲେ ଜୁଲୁସ୍

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସମାଜର ପାରମ୍ପରିକ ପର୍ବ ସହରାୟ ପାରାବକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହ ଆଦିବାସୀ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଆଦିବାସୀ ସେଙ୍ଗେଲ ଅଭିଯାନ । ଏନେଇ ରାଜ୍ୟ ସଭାପତି ନାରାନ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବାରିପଦା କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା ନଭେମ୍ବର ୧୪ ତାରିଖରେ ବାରିପଦାଠାରେ ଏକ ବିଶାଳ ଜାଜଲେ ଜୁଲୁସ୍ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ନଭେମ୍ବର ୧୦ରେ ଗଟ୍ ବଙ୍ଗା, ୧୧ରେ ଗଳା ବଙ୍ଗା, ୧୨ରେ ଖୁଣ୍ଟାଉ ବା ବାନ୍ଧଣା ଏବଂ ୧୩ ତାରିଖରେ ବିଭିନ୍ନ ଆଦିବାସୀ ଗ୍ରାମରେ ଜାଜଲେ ନାଚ ଆୟୋଜନ କରାଯିବ । ସୂଚନାଯୋଗ୍ୟ, ସହରାୟ ପାରାବ ସାର୍ନା ଧର୍ମାବଲମ୍ବୀ ଆଦିବାସୀ ସମାଜର ଏକ ପ୍ରମୁଖ ପାରମ୍ପରିକ ଓ କୃଷିଭିତ୍ତିକ ପର୍ବ । ଏହି ଅବସରରେ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରିବା ସହ ବାନ୍ଧଣା ରୀତି ପାଳନ କରାଯାଏ । ଏଥିସହ ପାରମ୍ପରିକ ନାଚଗୀତ ମାଧ୍ୟମରେ ଆଦିବାସୀ ସଂସ୍କୃତି ଓ ଐତିହ୍ୟର ପ୍ରଦର୍ଶନ କରାଯାଇଥାଏ । ଏହି ଜୁଲୁସ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନିଜ ସଂସ୍କୃତି ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି କରିବା। ଏହାଦ୍ୱାରା ଆଦିବାସୀ ସମାଜରେ ଏକତା, ଭାଇଚାରା ଓ ସାମାଜିକ ସଂହତି ଅଧିକ ସୁଦୃଢ଼ ହେବ ବୋଲି ରାଜ୍ୟ ସଭାପତି ନାରାନ ମୁର୍ମୁ କହିଛନ୍ତି । ବୈଠକରେ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱାର ଓଡ଼ିଶା ରାଜ୍ୟ ସଭାପତି କାଳୁରାମ ମୁର୍ମୁଙ୍କ ସମେତ ଉଦୟନାଥ ହେମ୍ବ୍ରମ, ଶିଙ୍ଗ୍ରାୟ ହେମ୍ବ୍ରମ, ନୀଳରତ୍ନ ରୁତମାର୍ଣ୍ଡି, ସୁରେଶ ହେମ୍ବ୍ରମ, ସାଲଖୁ ସୋରେନ ଓ ରାମ ମାଝୀ ପ୍ରମୁଖ ଉପସ୍ଥିତ ରହି ଜୁଲୁସ୍‌କୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ । ଏଥିସହ ସମସ୍ତ ଆଦିବାସୀ ଭାଇଭଉଣୀ, ଯୁବକ, ଛାତ୍ରଛାତ୍ରୀ ଓ ସଂସ୍କୃତିପ୍ରେମୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଭିଯାନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.