କୃଷିକାର୍ଯ୍ୟ ସମ୍ବନ୍ଧରେ ସର୍ବେକ୍ଷଣ କରି ଆକଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପାଗ କୋହଲା ଥିଲା, ଗତକାଲି ଠାରୁ ଜିଲ୍ଲାରେ ଝିପି ଝିପି ବର୍ଷା ଅବା ଅସରାଏ ବର୍ଷା ଲାଗି ରହିଛି । ଫଳରେ ଗଞ୍ଜାମ ଜିଲ୍ଲାରେ ଧାନ କିଆରୀ ଏବଂ ପନିପରିବା ଚାଷ ବିଶେଷ କ୍ଷତି ଘଟିଥିବା ଜଣାଯାଇଛି । ଏଥି ପୂର୍ବରୁ ଜିଲ୍ଲା ସ୍ତରରେ ଏକ ପ୍ରସ୍ତୁତି ବୈଠକ ଆଗତ କରି କୃଷିଜାତ ଦ୍ରବ୍ୟର ସୁରକ୍ଷା ନିମନ୍ତେ କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା ସଚେତନତା କରାଯାଇଥିଲା । ଯେଉଁ ଚାଷୀମାନଙ୍କର ଧାନ କଟାଯାଇଛି ତାହା ବିଲରେ ଜମା ନ ରଖି ଉପଯୁକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରି ରଖିବାକୁ ପରାମର୍ଶ ଦିଆଯାଇଥିଲା । ତଥାପି କେତେକ ସ୍ଥଳରେ ଚାଷ କାର୍ଯ୍ୟ କ୍ଷୟକ୍ଷତି ହୋଇଥିବା ସମ୍ଭାବନା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ବୁଧବାର ଆଭାସୀ ବୈଠକ ମାଧ୍ୟମରେ ସମସ୍ତ ସଂପୃକ୍ତ ଅଧିକାରୀମାନଙ୍କୁ କ୍ଷୟକ୍ଷତିର ଆକଳନ ଯାଂଚ୍ କରି ପୂର୍ବରୁ ରିପୋର୍ଟ ପ୍ରସ୍ତୁତ କରି ରଖିବାକୁ କହିଛନ୍ତି । ଏତଦ୍‌ବାଦେ କମ୍ ବର୍ଷା ଯୋଗୁଁ ମଧ୍ୟ ଜିଲ୍ଲାର କେତେକ ସ୍ଥାନରେ ଚାଷ କାର୍ଯ୍ୟର କ୍ଷୟକ୍ଷତି ଘଟିଛି । ଏହି ସମସ୍ତ ତଥ୍ୟ ଆକଳନ କରି ଜିଲ୍ଲାକୁ ରିପୋର୍ଟ ପ୍ରଦାନ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଭରଣା କରିବା ନିମନ୍ତେ ନିର୍ଦ୍ଦେଶ ପାଇବା ପରେ ଏହି ସମସ୍ତ ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୫ଟି ଅନ୍ତର୍ଗତ ଜିଲ୍ଲାରେ ଚାଲିଥିବା ଆମ କଲେଜର ସ୍ମାର୍ଟ କ୍ଲାସ, ଶୌଚାଳୟ, ପାଠାଗାର ଇତ୍ୟାଦିର କାର୍ଯ୍ୟ ଫେବୃୟାରୀ ମାସ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ଯେଉଁ ଯେଉଁ ମହାବିଦ୍ୟାଳୟ ଗୁଡିକରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯିବ ତାହାର ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟ ଯେମିତି ଉତ୍ତମ ମାନର ହେବ ତାହା ମଧ୍ୟ ତଦାରଖ କରିବାକୁ କୁହାଯାଇଛି । ମୋ ସ୍କୁଲ କାର୍ଯ୍ୟକ୍ରମର ୪ର୍ଥ ପର୍ଯ୍ୟୟ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉପଜିଲ୍ଲାପାଳଗଣ ସମୀକ୍ଷା କରିବାକୁ ଜଣାଇ ଦିଆଯାଇଛି । ଆଗତ ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁଙ୍କ ସମେତ ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ପ୍ରଭୁତି ତିନି ଗୋଟି ସବଡିଭିଜନର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ତଥା ଜିଲ୍ଲାର ପ୍ରମୁଖ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.