pakka

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନରସିଂହ : ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ କଲେ ନିବେଦନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗସ୍ତ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୋମୁହାଁ ଜନବିରୋଧି ନୀତିକୁ ଜନମାନସରେ ଉଜାଗର କରିବା ସହ ଅଂଚଳରେ କୃଷି, ଜଳସେଚନ, ରାସ୍ତାଘାଟ, ଶିକ୍ଷାର ଉନ୍ନତି ତଥା ଯୁବକମାନଙ୍କୁ ରୋଜଗାରକ୍ଷମ ଓ ନାରୀ ସୁରକ୍ଷା ପାଇଁ ଜୋନ ୧୭ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ବିପୁଳ ମାତ୍ରାରେ ଭୋଟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଓ ଜୋନ ୧୭ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କ ସହିତ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉଁନ୍ତପୁର, ପିପିର୍ଡା, ରାନିକଣ୍ଟା, ଅଙ୍କରିଆପଦର, ଜାମଗାଁ, ଲୁକାପଡା ଓ ବିଲେଇସର୍ଡା ଆଦି ଗ୍ରାମରେ ଘରଘର ବୁଲି ନିଜ ଜନସଂପର୍କ ଅଭିଯାନରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ପାଞ୍ଚ ବର୍ଷ ପରେ ପୁଣି ଆପଣଙ୍କ ସମ୍ମୁଖରେ ପଞ୍ଚାୟତି ରାଜ ନିର୍ବାଚନ । ପାଞ୍ଚ ବର୍ଷ ପୂର୍ବରୁ ଆପଣ ଭୋଟ ଦେଇଥିଲେ ଆପଣମାନଙ୍କର ଅଞ୍ଚଳରେ କୃଷିର ଉନ୍ନତି, ରାସ୍ତାଘାଟର ଉନ୍ନତି, ଜଳସେଚନର ଉନ୍ନତି, ଶିକ୍ଷାର ଉନ୍ନତି ତଥା ଅଞ୍ଚଳର ଯୁବକମାନେ ବେରୋଜଗାରରୁ ମୁକ୍ତି ପାଇବା ସହ ଗାଁରେ ମା’ ଭଉଣୀଙ୍କ ସୁରକ୍ଷା ଠିକ୍‌ ହିସାବରେ ହୋଇ ପାରିବ ବୋଲି । କିନ୍ତୁ ସେହି ସବୁ ପ୍ରତିଶୃତି ଦେଇ କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ଦଳର ନେତାମାନେ ଯେ, ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିବା ଆପଣମାନେ ହୃଦୟଙ୍ଗମ କରି ସାରିଥିବେ । କୃଷକର ସ୍ୱାର୍ଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଭୟ ବିଜେପି ଓ ବିଜେଡି ଦଳ ଆମ ଅଂଚଳର ଚାଷୀଙ୍କ ଧାନର ସର୍ବନିମ୍ନ ମୂଲ୍ୟ ଦେବାର ଦୂରର କଥା କ୍ୱିଣ୍ଟାଲ ପିଛା ଧାନ କିଣିଲା ବେଳେ ୫ ରୁ ୧୦ କେଜି ପର୍ଯ୍ୟନ୍ତ କଟନି ଛଟନି କରୁଛନ୍ତି । ଜଳସେଚନ ନାଁରେ ଉଭୟ ସରକାର ଭୁଆଁ ବୁଲାଉଛନ୍ତି । ଶିକ୍ଷା ନା ରେ ଡିମ୍‌ଡିମ୍‌ ପିଟୁଥିବା ରାଜ୍ୟ ଓ କେନ୍ଦ୍ର ଆମ ଅଞ୍ଚଳରେ ଥିବା ସ୍କୁଲ କଲେଜମାନଙ୍କରେ ଶିକ୍ଷକ ଦେଇ ପାରୁନାହାନ୍ତି । ବର୍ଷକୁ ଦୁଇ କୋଟି ରୋଜଗାର ସୃଷ୍ଟି ମିଥ୍ୟା ପ୍ରତିଶୃତି ଯୋଗୁଁ ଆଜି ଆମ ଅଂଚଳର ଯୁବକମାନେ ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ନାରୀ ସୁରକ୍ଷା ନ କହିବା ଭଲ । ଆମ ଜିଲ୍ଲାର ଝିଅ ମମିତା ମେହେର ହତ୍ୟାକାଣ୍ଡରେ ଖୋଦ୍‌ ସରକାରର ମନ୍ତ୍ରୀଙ୍କ ସଂପୃକ୍ତି ଅଛି । ତେଣୁ ଆଜି ଆମ ଅଞ୍ଚଳର ଛୋଟରୁ ବଡ ପର୍ଯ୍ୟନ୍ତ ଛାତ୍ର, ଯୁବକ, କୃଷକ, ଶ୍ରମିକ, ମା’ ଓ ଭଉଣୀମାନେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତାରଣା ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତା’ଛଡା ସରକାର ଆପଣଙ୍କ ସ୍ଥାନୀୟ ସମସ୍ୟାମାନଙ୍କର ମଧ୍ୟ ଏଯାଁଏ କୌଣସି ସମାଧାନ କରି ପାରି ନାହାନ୍ତି । ତେବେ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରର ଜନବିରୋଧି କାର୍ଯ୍ୟକଳାପର ଜବାବ ଦେବାର ଏବେ ଉଚିତ୍‌ ସମୟ ଆସିଛି । କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ତଥା ରାଜ୍ୟରେ ଥିବା ବିଜୁ ଜନତା ଦଳର ନେତାମାନଙ୍କ ମିଥ୍ୟା ପ୍ରତିଶୃତି ପ୍ରତ୍ୟାକ୍ଷାନ କରି ୧୭ ନଂ ଜୋନ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ହାତ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରାନ୍ତୁ ବୋଲି କହିଥିଲେ ।

Leave A Reply

Your email address will not be published.

nineteen − twelve =