ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ବିଦ୍ୟାଳୟରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜବନ୍ଧ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସିଏଚ୍ଓ ସନ୍ତୋଷିନୀ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯକ୍ଷ୍ମା ରୋଗର କାରଣ, ନିରାକରଣ ଓ ସତର୍କତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ଗଜବନ୍ଧ ସିଆର୍ସିସି ନରେନ୍ଦ୍ର ପୁରୋହିତ ଯୋଗଦେଇ ଯକ୍ଷ୍ମା ଦୂରୀକରଣ ପାଇଁ ସମ୍ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ତମାଖୁ ମୁକ୍ତ ବିଦ୍ୟାଳୟର ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ ପ୍ରଧାନ ଶିକ୍ଷକ । ଶିକ୍ଷକ ଯୁଧିଷ୍ଠିର ରଣା, ଶଙ୍କର ପ୍ରସାଦ ଭୋଇ, ପଦ୍ମାବତୀ ହାତୀ, ପ୍ରମିତା ପଧାନ, ଅମୁଲ୍ୟ ଝାଙ୍କର, ସୁବାସ ଭୋଇ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ସ୍ୱାସ୍ଥ୍ୟ ଅମ୍ବାସାଡର ଶିକ୍ଷକ କଳାକାହ୍ନୁ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।